ନୟାଗଡ଼ (ବାଘୁଆବାର୍ତ୍ତା): ମହାମାରୀ କରୋନା ସାରା ରାଜ୍ୟକୁ କବଳିତ କରି ରଖିଛି । ସେଥିରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ମଧ୍ୟ ଗ୍ରହଣ କରିଛନ୍ତି । ତେଣୁ ନୟଗାଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ କନ୍ଧନୟାଗଡ଼ ଅଧିନରେ ଥିବା ବ୍ରାହ୍ମଣ ସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସୂଚନାନୁସାରେ, କନ୍ଧନୟାଗଡ଼ ବ୍ରାହ୍ମଣ ସାହିରେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ରଣପୁର ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ କନ୍ଧନୟାଗଡ଼ର ବ୍ରାହ୍ମଣସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରିଛନ୍ତି । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ବଳବତ୍ତର ରହିବ । ଏହା ଦ୍ୱାରା ଉକ୍ତ ଗ୍ରାମ ଭିତରକୁ କୌଣସି ବାହାର ଲୋକଙ୍କୁ ପ୍ରବେଶ ନିଷେଧ କରାଯାଇଥିବା ବେଳେ ଉକ୍ତ ଗ୍ରାମର କୌଣସି ଲୋକ ବାହାରକୁ ନବାହାରିବା ପାଇଁ ତହସିଲଦାର ପରାମର୍ଶ ଦେଇଛନ୍ତି । ନିତ୍ୟ ବ୍ୟବହାର ସାମଗ୍ରୀ ଯୋଗଇ ଦିଆଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ସମସ୍ତ ଦୋକାନ ବଜାର ବନ୍ଦ ରହିବ ଏବଂ ପ୍ରତ୍ୟେକ ବ୍ୟକ୍ତି ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।





