ଭୁବନେଶ୍ୱର (ବାଘୁଆବାର୍ତ୍ତା): କରୋନା ପାଇଁ ବସ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ ରାଜ୍ୟ ସରକାର ମେ’ ମାସ ପାଇଁ ରୋଡ ଟ୍ୟାକ୍ସ ଦାଖଲର ସମୟ ଅବଧିକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବସ ମାଲିକମାନେ ଏହି ଅବଧି ମଧ୍ୟରେ ଯେ କୌଣସି ସମୟରେ ଟିକସ ଦାଖଲ କଲେ ସେମାନଙ୍କୁ କୌଣସି ପ୍ରକାର ଜୋରିମାନା ଅର୍ଥ ଦେବାକୁ ପଡିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଏହି ନିର୍ଦ୍ଦେଶନାମା ଉଭୟ ଯାତ୍ରୀବାହୀ ଏବଂ ପର୍ଯ୍ୟଟକ ବସ ପାଇଁ ଲାଗୁ ହେବ । ଏଥିସହ ରାଜ୍ୟ ସରକାରୀ ଚଳିତ ମେ ମାସର ଟ୍ୟାକ୍ସ ଛାଡ ସଂକ୍ରାନ୍ତରେ ବିଚାର କରୁଛନ୍ତି ବୋଲି ମଧ୍ୟ ଜାରି ବିଜ୍ଞପ୍ତିରେ କୁହାଯାଇଛି । ରାଜ୍ୟ ସରକାରଙ୍କ ଏହି ଘୋଷଣା ଫଳରେ ବସ ମାଲିକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ବସ ମାଲିକମାନେ ବସ ଚଲାଇବା ଲାଗି ପ୍ରତି ମାସରେ ପହିଲାରୁ ୧୫ ତାରିଖ ମଧ୍ୟରେ ରୋଡ ଟ୍ୟାକ୍ସ ଜମା କରିଥାନ୍ତି । ଯଦି ୧୫ ତାରିଖ ମଧ୍ୟରେ କେହି ଟିକସ ଦାଖଲ ନକରନ୍ତି ତାହେଲେ ଟିକସ ସହ ତାଙ୍କ ଉପରେ ଜୋରିମାନା ମଧ୍ୟ ଲାଗୁ ହୋଇଥାଏ । କିନ୍ତୁ ମେ’ ୫ରୁ ଲକଡାଉନ ଘୋଷଣା କରାଯିବା ଫଳରେ ପୂରା ରାଜ୍ୟରେ ବସ ଚଳାଚଳକୁ ବନ୍ଦ ମଧ୍ୟ କରି ଦିଆଯାଇଥିଲା । ଫଳରେ ରାଜ୍ୟ ବସ ମାଲିକ ସଂଘ ପକ୍ଷରୁ ମେ’ ଜୁନ ଦୁଇ ମାସ ଲାଗି ରୋଡ ଟ୍ୟାକ୍ସ ଛାଡ ପାଇଁ ଚିଠି ଲେଖାଯାଇଥିଲା । ଏଥିସହ ଅନ୍ୟାନ୍ୟ ଆହୁରି କେତକ ଦାବି ମଧ୍ୟ ସରକାରଙ୍କ ଆଗରେ ରଖାଯାଇଥିଲା । କିନ୍ତୁ ରାଜ୍ୟ ସରକାର ଟିକସ ଛାଡ ନେଇ କୌଣସି ନିଷ୍ପତ୍ତି ନେଇନଥିବାରୁ ଏବେ ଟ୍ୟାକ୍ସ ଜମା ସମୟ ଅବଧିକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।






