ଭୁବନେଶ୍ୱର (ବାଘୁଆବାର୍ତ୍ତା): ରାଜଧାନୀ ଭୁବନେଶ୍ୱରରେ ବ୍ଲାକ ଫଙ୍ଗସ ଆତଙ୍କ । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪ଜଣ ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେୟାର ହସ୍ପିଟାଲରୁ ୪ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ନେଇ ଡାକ୍ତର ମିତାଲି କର ସୂଚନା ଦେଇଛନ୍ତି । ସୂଚନା ମୁତାବକ, ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମୁଣ୍ଡ ବିନ୍ଧିବା, ଆଖି ଫୁଲିଯିବା, ଅଣନିଶ୍ୱାସୀ ଲାଗିବା, ଅଧା ମୁହଁ ଫୁଲିଯିବା ଲକ୍ଷଣ ସହ ଜ୍ୱର ମଧ୍ୟ ରହୁଛି । ଏହା ଛଡା ଏହି ରୋଗର ଆକ୍ରାନ୍ତ ରୋଗୀଙ୍କୁ ସବୁ କିଛି ଦୁଇ ଦୁଇଟି ଦେଖାଯିବାର ଲକ୍ଷଣ ରହୁଥିବା ଜଣାପଡିଛି । ଗତକାଲି ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଜଣେ ୭୧ ବର୍ଷ ବୟସ୍କ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତ ୨୦ ତାରିଖରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣା ପଡିଛି । ସାରା ଦେଶରେ କରୋନାର ଦ୍ରୁତ ସଂକ୍ରମଣ ଚିନ୍ତାର କାରଣ ପାଲଟିଥିବା ବେଳେ ବୋଝ ଉପରୁ ଲଳିତା ବିଡା ସାଜିଛି ବ୍ଲାକ ଫଙ୍ଗସ ରୋଗ । କରୋନା ପରେ ଆତଙ୍କ ସୃଷ୍ଟି କରିଛି ‘ବ୍ଲାକ ଫଙ୍ଗସ’ । ଦେଶରେ ଅନେକ ଡାକ୍ତରଖାନାରୁ କରୋନା ରୋଗୀଙ୍କୁ ବ୍ଳାକ ଫଙ୍ଗସ ରୋଗ ହୋଇଥିବା ମାମଲା ସାମ୍ନାକୁ ଆସୁଛି । ପ୍ରତି ଦିନ ୪ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ଦେଶରୁ ଚିହ୍ନଟ େଉଛନ୍ତି । ବ୍ଲାକ ଫଙ୍ଗସ ସଂକ୍ରମଣ ଏବେ କିଛି ରାଜ୍ୟରେ କରୋନା ହେବାର ପର ପର୍ଯ୍ୟାୟରେ ଦେଖିବାକୁ ମିଳୁଛି । ତେବେ ଏହାକୁ ମୁକୋରମାଇକୋସିସ ବୋଲି ମଧ୍ୟ କୁହାଯାଏ । ଏହି ବ୍ଲାକ ଫଙ୍ଗସ ଆମ ଶରୀରର ଚର୍ମ, ଫୁସଫୁସ ଏବଂ ବ୍ରେନ ଉପରେ ପ୍ରଭାବ ପକାଇଥାଏ । ତେବେ ଏନେଇ ଆଡଭାଇଜରୀ ଜାରି କରିଛନ୍ତି ଆଇସି ଏମଆର । ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ମଧୁମେହ ଏବଂ ଆଇସିୟୁରେ ଅଧିକ ଦିନ ରହୁଥିବା କୋଭିଡ ରୋଗୀଙ୍କ କ୍ଷେତ୍ରରେ ଏହା ବେଶି କ୍ଷତି ଘଟାଏ ।






