ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲା ପ୍ରଶାସନର କୋଭିଡ୍-୧୯ କଟକଣାକୁ ଖୁଲମ୍ ଖୁଲା ଉଲଙ୍ଘନ କରିବା ମହଙ୍ଗା ପଡିଲା ଡ୍ରେସ ଦୋକାନୀକୁ । ରାଜ୍ୟ ଓ ଜିଲ୍ଲାରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି । ସ୍ଥିତି ଅସମ୍ଭାଳ ଥିବା ଜିଲ୍ଲା ପ୍ରଶାସନ କୋଭିଡ୍-୧୯ କଟକଣା କରିଥିବା ବେଳେ ଏହାକୁ ଚାନ୍ଦପୁର ବଜାରର ଶ୍ରୀରାମ ଡ୍ରେସେସ୍ ଖୋଲାଖୋଲି ଭାବେ ଉଲଙ୍ଘନ କରିଥିବା ଜଣାପଡିଛି । ଯାହାଫଳରେ ରଣପୁର ଅତିରିକ୍ତ ତହସିଲଦାର ଅଶୋକ ସାହୁ ଓ ଚାନ୍ଦପୁର ପୁଲିସ ମିଳିତ ଭାବେ ଶ୍ରୀରାମ ଡ୍ରେସେସ୍ ଚଢଉ କରିଥିଲେ । ଚଢଉ ସମୟରେ ଡ୍ରେସ୍ ଦୋକାନ ଭିତରେ ଗହଳି ଥିଲା । ଦୋକାନୀଙ୍କ ଠାରୁ ୧୧ହଜାର ଟଙ୍କାର ଫାଇନ୍ କାଟିବା ସହିତ ଉକ୍ତ ଡ୍ରେସ୍ ଦୋକାନକୁ ସିଲ୍ କରିଥିବା ନେଇ ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଂଜନ ଦାଶ ସୂଚନା ଦେଇଛନ୍ତି । ଚଢଉ ସମୟରେ ଚାନ୍ଦପୁର ଥାନା ଏସଆଇ ଅଞ୍ଜଳୀ ସା ଓ କର୍ମଚାରୀ ମାନେ ସାମିଲ ଥିଲେ ।





