ତିରୁପତି (ବାଘୁଆବାର୍ତ୍ତା): ମହାମାରୀ କରୋନା ସଂକ୍ରମଣ ଭିତରେ ପୁଣି ଅକ୍ସିଜେନ ସଙ୍କଟର ଦାରୁଣ ଚିତ୍ର ସାମ୍ନାକୁ ଆସିଛି । ଅକ୍ସିଜେନ ସପ୍ଲାଏ ଠିକ ଭାବେ ହୋଇ ନ ପାରିବାରୁ ଆନ୍ଧ୍ର ପ୍ରଦେଶର ତିରୁପତିରେ ଥିବା ଶ୍ରୀ ଭେଙ୍କଟେଶ୍ୱର ରାମନାରାୟଣ ରୁଇଆ ସରକାରୀ ଜେନେରାଲ ହସ୍ପିଟାଲରେ ୧୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି ସମସ୍ତ ରୋଗୀ ଆଇସିୟୁରେ ଅକ୍ସିଜେନ ସହାୟତାରେ ରହିଥିଲେ । କିନ୍ତୁ ଅକ୍ସିଜେନ ସପ୍ଲାଏରେ ବିଭ୍ରାଟ ଉପୁଜିବାରୁ ଏମାନଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାପାଳ ଏମ ହରି ନାରାୟଣ କହିଛନ୍ତି, ଅକ୍ସିଜେନ ସହାୟତାରେ ଥିବା ୧୧ ଜଣଙ୍କ ଜୀବନ ଯାଇଥିଲେ ହେଁ ଅନେକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରାଯାଇ ପାରିଛି । ତିରୁପତି, ଚିତ୍ତୋର, ନେଲୋର ଓ କଡପାର ପ୍ରାୟ ହଜାରେ କରୋନା ରୋଗୀ ଏହି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୋମବାର ସନ୍ଧ୍ୟା ୮.୩୦ ପରେ ଅକ୍ସିଜେନ ସପ୍ଳାଏର ପ୍ରେସର ହ୍ରାସ ପାଇବା ଆରମ୍ଭ କରିଥିଲା । ଅକ୍ସିଜେନ ସପ୍ଲାଏକୁ ଠିକ କରିବାକୁ ୫ ମିନିଟ ସମୟ ଲାଗିଥିଲା । ତଥାପି ଏହି ସମୟ ଭିତରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା । ଶୀଘ୍ର ପ୍ଲାଣ୍ଟକୁ ଠିକ କରାଯିବାରୁ ବହୁ ରୋଗୀଙ୍କ ଜୀବନ ବଞ୍ଚି ଯାଇଛି ।






