ଖୋର୍ଦ୍ଧା (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରୁଣେଇ ଘାଟିର ଏକ ଜଙ୍ଗଲରୁ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଚନ୍ଦାପୁଟ ଗ୍ରାମର ବିଜୟ ମହାନ୍ତି (୬୨)ଙ୍କ ମୃତଦେହକୁ ସୋମବାର ପୋଲିସ ଜବତ କରିଛି । ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଆତ୍ମହତ୍ୟା ପଛରେ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଅନଟନ ନଚେତ ଋଣ ପରିଶୋଧ ଚାପରେ ଏଭଳି ନିଷ୍ପତ୍ତି ନେଇଥିବା ପୋଲିସ ଅନୁମାନ କରିଛି । କିନ୍ତୁ ଆତ୍ମହତ୍ୟା ଆଗରୁ ସେ ଭଉଣୀକୁ ଆତ୍ମହତ୍ୟା ଠିକଣା ଏବଂ ନ ଖୋଜିବାକୁ ଅନୁରୋଧ କରିବା ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସଦର ଥାନା ପୋଲିସ କହିବା ଅନୁସାରେ ବିଜୟ ଆଦର୍ଶ ଥାନା ତରତୁଆ ଗ୍ରାମରେ ରହି ସ୍ଥାନୀୟ ଅଞ୍ଚଳରେ ବେପାର କରନ୍ତି । ଗତ ୪ ତାରିଖରେ ପୁରୀ ଜିଲ୍ଲା ପଟ୍ଟନାୟିକା ଗ୍ରାମରେ ରହୁଥିବା ଭଉଣୀ ଜୟଶ୍ରୀ ଦାସଙ୍କୁ ବରୁଣେଇ ଘାଟିତଳେ ଥିବା ଏକ ଅଚଳ ମଦ କମ୍ପାନିରେ ଆତ୍ମହତ୍ୟା କରିବାକୁ ଯାଇଥିବା କହିଥିଲେ । ଏପରିକି ତାଙ୍କୁ ମନରୁ ଭୁଲିଯାଇ ଆଉ ଖୋଜାଖୋଜି ନକରିବାକୁ ଫୋନରେ କହିଥିଲେ । ଏହା ଶୁଣିବା ପରେ ଭଉଣୀ ଓ ଭିଣୋଇ ମଦକମ୍ପାନି ଆଖପାଖରେ ବହୁତ ଖୋଜିବା ସତ୍ୱେ କୌଣସି ସନ୍ଧାନ ପାଇନଥିଲେ । ଏହା ପରେ ସେମାନେ ଫେରିଯାଇଥିଲେ । ବନକର୍ମଚାରୀ ମୃତଦେହର ଦୁର୍ଗନ୍ଧ ବାରି ପଡିଥିବା ସ୍ଥାନକୁ ଯାଇଥିଲେ । ସଦର ପୋଲିସକୁ ଖବର ଦେବା ପରେ ପୋଲିସ ଏଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।






