ଚଣ୍ଡିଖୋଲ (ବାଘୁଆବାର୍ତ୍ତା): ଯୌତୁକ ପାଇଁ ପୋଡି ମାରିଦେଲେ । ଦୁଇ ଲକ୍ଷ ଟଙ୍କା ଗୋଟିଏ ବିବାହିତା ଝିଅ ପାଇଁ କାଳ ହୋଇଛି । ବିବାହର ନଅ ବର୍ଷ ପରେ ବି ମାରିଦେବାକୁ ପଛେଇଲେ ନାହିଁ ଶ୍ୱଶୁର ଘର ଲୋକେ । ଏପରି ଅଭିଯୋଗ ମୃତ ଝିଅର ପରିବାର ଲୋକେ ଆଣିଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନିଆଳି ଗ୍ରାମରେ ଘଟିଛି । ଯାହାକି ବଡଚଣା ଥାନା ଅଞ୍ଚଳର ବେଣାପୁର ଗ୍ରାମର ନାବନ ମହାପାତ୍ରଙ୍କ ଝିଅ ସସ୍ମିତା ଦୀର୍ଘ ୯ ବର୍ଷ ତଳେ ନିଆଳି ଗ୍ରାମର ଧରଣୀଧର ସାମଲଙ୍କ ସାନ ପୁଅ ବିରଞ୍ଚି ସାମଲଙ୍କୁ ବିବାହ କରିଥିଲେ । ବିବାହର ରୀତିନୀତି ମୁତାବକ ନଗଦ ଦୁଇ ଲକ୍ଷ ଟଙ୍କା ସୁନା, ରୁପା ଓ ଆସବାବପତ୍ର ଯୌତୁକ ଆକାରରେ ବିରଞ୍ଚିଙ୍କୁ ମିଳିଥିଲା । ମାତ୍ର ବିବାହର କେଇଟା ବର୍ଷ ପରେ ବିରଞ୍ଚିଙ୍କ ପରିବାର ଆଉ ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ । ଏପଟେ ସସ୍ମିତାଙ୍କ ବାପାଙ୍କ ଆର୍ଥିକ ଅବସ୍ଥା ସୃଦୃଢ଼ ନଥିବା ହେତୁ ସେ ଟଙ୍କା ଦେବାରେ ବିଫଳ ହୋଇଥିଲେ । ବାରମ୍ବାର ସସ୍ମିତାଙ୍କ ଶାଶୁ ଶ୍ୱଶୁର ଓ ସ୍ୱାମୀ ଝିଅକୁ ନିର୍ଯ୍ୟାତନା ଦେଉଥିଲେ ବୋଲି ସସ୍ମିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଝିଅକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିଦେବା କଥା କହିଛନ୍ତି ସସ୍ମିତାଙ୍କ ପରିବାର । ଏପଟେ ଗୁରୁତର ଅବସ୍ଥାରେ ସସ୍ମିତାଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପରେ ଗତକାଲି ସସ୍ମିତାଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ସସ୍ମିତାଙ୍କ ବାପା ଓ ଭାଇ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ହତ୍ୟାକାଣ୍ଡକୁ ସ୍ଥାନୀୟ ଅଞ୍ଚଳରେ ଘୋର ନିନ୍ଦା କରାଯାଇଛି । ଅଭିଯୋଗ ପରେ ବାଲିଚନ୍ଦ୍ରପୁର ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇବା ସହ ସସ୍ମିତାଙ୍କ ଶ୍ୱଶୁର ବିରଞ୍ଚି ସାମଲଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶୁକାନ୍ତ ପାତ୍ର କହିଛନ୍ତି ।






