କାଲିମେଳା (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ମୋଟୁ ସୀମାରେ ପ୍ରାଣ ହରାଇଛନ୍ତି ଜଣେ ପ୍ରବାସୀ ଶ୍ରମିକ । ବାଲେଶ୍ୱର ସୋର ବ୍ଳକ ଅନ୍ତର୍ଗତ ଭୁମ୍ଭୀ ଗାଁର ସୁଧିର ରଞ୍ଜନ ବିଶ୍ୱାଳ ଓ ତାଙ୍କ ଭାଇ ଧିରଞ୍ଜନ ବିଶ୍ୱାଳ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଲକଡାଉନ ପରେ ଦୁହେଁ ହାଇଦ୍ରାବାଦରୁ ଏକ ଘରୋଇ ବସରେ ଓଡିଶା ଫେରୁଥିଲେ । ହେଲେ ମୋଟୁ ସୀମାନ୍ତରେ ସୁଧିର ରଞ୍ଜନ ବିଶ୍ୱାଳ ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ହଠାତ ବସ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୁଧିର ରଞ୍ଜନ କରୋନା ଆକ୍ରାନ୍ତ ଥିଲେ କି ନାହିଁ ତାହାର ପରୀକ୍ଷା କରୁଛି ସ୍ୱାସ୍ଥ୍ୟ ବିଭାଗ । ହେଲେ ମୃତ ଦେହ ଆନ୍ଧ୍ର ପ୍ରଦେଶ ଭିତରେ ରହିଥିବାରୁ ମୋଟୁ ଥାନା ପୋଲିସ ସିଲେରୁ ନଦୀର ଆରପଟକୁ ଯାଇ ମୃତ ଦେହ ମାଲକାନଗିରି ସିମା ଭିତରକୁ ଆଣିଛି । କୋଭିଡ ପ୍ରୋଟୋକଲ ଅନୁଯାୟୀ ମୋଟୁରେ ହିଁ ଶବ ସତ୍କାର କରାଯିବ ବୋଲି ଜଣାପଡିଛି ।






