କଣ୍ଟାବାଞ୍ଜି (ବାଘୁଆବାର୍ତ୍ତା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବୋଙ୍ଗାମୁଣ୍ଡା ରେଳ ଫାଟକ ରାସ୍ତା କଡ଼ରେ ଥିବା ସରକାରୀ ଜମି ଉପରୁ ଜବର ଦଖଲ ଉଚ୍ଛେଦ । ଗତ କିଛି ଦିନ ହେଲା ଏହି ରାସ୍ତାରେ ଘୋର ଟ୍ରାଫିକ ସମସ୍ୟା ଉପୁଜୁଥିଲା । ଏହାକୁ ନେଇ ବିଭିନ୍ନ ଖବର କାଗଜ ବାରମ୍ବାର ଖବର ପ୍ରକାଶ ପାଇଥିଲା । ଫଳରେ ଆଜି ଏନଏସି ପ୍ରଶାସକ ତଥା ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟଙ୍କ ନିର୍ଦ୍ଦେଶ କ୍ରମେ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ସମସ୍ତ ବେଆଇନ ଦୋକାନ ଘରକୁ ଜେସିବି ଲଗାଇ ଉଚ୍ଛେଦ କରାଯାଇଛି । ଜବରଦଖଲ ଉଛେଦ ସମୟରେ ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବାବେଳେ ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ସାମି ରେଡି ଜୟଶ୍ରୀ, ତହସିଲଦାର ଅଶୋକ କୁମାର ମାଝୀ, ଏସଡିପିଓ ସରୋଜ କୁମାର ମହାପାତ୍ର, ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକରଙ୍କ ସହ ପୋଲିସ ଫୋର୍ସ ଓ ଏନଏସି କର୍ମଚାରୀମାନେ ଉପସ୍ଥିତ ଥିଲେ । ତେବେ ରେଳ ଫାଟକ ରାସ୍ତା କଡ଼ରେ ବହୁ ଗରିବ ଶ୍ରେଣୀର ଲୋକ ଦୋକାନ ଖୋଲି ପେଟ ପୋଷୁଛନ୍ତି । ଏବେ କରୋନା କାଳରେ ବେଡି ଉପରେ କରୋଡା ମାଡ ଭଳି ସେମାନଙ୍କର ଜୀବନ ଜୀବିକା ଉଜୁଡି ଯାଇଛି ।






