ଆସାମ, (ବାଘୁଆବାର୍ତ୍ତା): ଆସାମ ରାଜ୍ୟରେ ବିଜେପି ବିଧାନସଭା ନିର୍ବାଚନ ଜିତିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ତା’କୁ ନେଇ କଳ୍ପନା ଜଳ୍ପନା ଲାଗିରହିଥିଲା । ତେବେ ଏହାର ଆଜି ଅନ୍ତ ଘଟିଛି । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ୱକର୍ମାଙ୍କ ନାମରେ କେନ୍ଦ୍ର ବିଜେପି ମୋହର ମାରିଛି । ଏନେଇ କେନ୍ଦ୍ର ମନ୍ତ୍ରୀ ତଥା ଆସାମ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଘୋଷଣା କରିଛନ୍ତି । ବିଜେପି ବିଧାୟକ ଦଳର ବୈଠକ ବସିଥିଲା । ଏଥିରେ ସମସ୍ତ ବିଧାୟକ ସମ୍ମତି ପ୍ରକାଶ କରିବାରୁ ହିମନ୍ତଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଧ୍ୟ ହିମନ୍ତଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଆଜି ହିମନ୍ତ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିବେ । ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ୱକର୍ମା ଶପଥ ନେବେ ବୋଲି ଜଣାପଡିଛି । ଉକ୍ତ ବୈଠକରେ ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଏଲ୍ ସନ୍ତୋଷ ଓ ଅଜୟ ଜାମୱାଲ ଉପସ୍ଥିତ ଥିଲେ ।






