ଶ୍ରୀନଗର (ବାଘୁଆବାର୍ତ୍ତା): ଏଲଓସି ସଂଲଗ୍ନ ଜାମ୍ମୁ-କାଶ୍ମୀରର ପୁଞ୍ଚରେ ପୋଲିସ ଓ ସେନାର ମିଳିତ ସମନ୍ୱୟରେ ଆତଙ୍କବାଦୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି । ଏଥିରେ ବିପୁଳ ମାତ୍ରାରେ ଗ୍ରେନେଡ ଜବତ କରାଯାଇଛି । ଜାମ୍ମୁ-କାଶ୍ମୀରରେ ସୁରକ୍ଷାବଳ ବଡ଼ ଧରଣର ଆକ୍ରମଣକୁ ପଣ୍ଡ କରିଛନ୍ତି । ରବିବାର ପୁଞ୍ଚ ଜିଲ୍ଲାରେ ଏକ ଆତଙ୍କବାଦୀ ଆଡ୍ଡାରେ ସୁରକ୍ଷାବଳ ୧୯ହ୍ୟାଣ୍ଡ ଗ୍ରେନେଡ ଜବତ କରିଛନ୍ତି । ଜାତୀୟ ମୁଖପତ୍ର କହିଛନ୍ତି, ପୁଞ୍ଚରେ ଶାନ୍ତି ବଜାୟ ରଖିବା ଏବଂ ଶାନ୍ତି ଭଙ୍ଗ କରୁଥିବା ଅସାମାଜିକଙ୍କ ଚକ୍ରାନ୍ତକୁ ସୁରକ୍ଷାବଳ ଏବଂ ପୋଲିସ ସକାଳେ ପଣ୍ଡ କରିଛନ୍ତି । ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ଓ ଜାମ୍ମୁ-କାଶ୍ମୀର ପୋଲିସ ଜାମ୍ମୁର ପୁଞ୍ଚରେ ସୁରନକୋଟର କାଗଲା ଅଞ୍ଚଳରେ ଏକ ମିଳିତ ଅପରେସନ ଆରମ୍ଭ କରିଥିଲେ । ଗୁଇନ୍ଦା ରିପୋର୍ଟ ଆଧାରରେ ଆରମ୍ଭ ହୋଇଥିବା ଅପରେସନରେ ଆତଙ୍କବାଦୀ ଏନଏଚ ୧୪୪ଏ ଉପରେ ସୁରକ୍ଷାବଳଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଥିଲେ । ଏହା ପୂର୍ବରୁ ଡୋଡା ଜିଲ୍ଲାର ଚକରଣ୍ଡୀ ଗାଁରେ ସୁରକ୍ଷାବଳ ୪୦ କିଲୋ ବିସ୍ଫୋରକ ସାମଗ୍ରୀ, ପାଞ୍ଚ ଲିଟର ପ୍ରେସର କୁକର ଇମ୍ପ୍ରୋଭାଇଜଡ ଏକ୍ସକ୍ଲୁସିଭ ଡିଭାଇସ (ଆଇଇଡି) ପାଞ୍ଚ ଇଞ୍ଚ ଲୋହାର ପାଇପ ଆଇଇଡି, ଚାରି ଇଲେକ୍ଟ୍ରିକଲ ଡେଟୋନେଟର, ବିଜୁଳି ତାର ଆଦି ଜବତ କରିଥିଲେ ।





