ବାଲିପାଟଣା (ବାଘୁଆବାର୍ତ୍ତା): ଦିର୍ଘ ସମୟ ପର୍ଯ୍ୟନ୍ତ ଜଣେ ବୃଦ୍ଧାଙ୍କର ଶବ ପଡି ରହିଲା । କରୋନା ମହାମାରୀ ସନ୍ଦେହରେ କେହି ବି କାନ୍ଧ ଦେବାକୁ ଆସିଲେ ନାହିଁ । ଏଭଳି ସମୟରେ ବାଲିଅନ୍ତାର ସାମ୍ବାଦିକ ମାନେ ସାମ୍ନାକୁ ଆସି ବୃଦ୍ଧାଙ୍କୁ କାନ୍ଧ ଦେବା ସହ ଶବ ସତ୍କାର କରିଛନ୍ତି । କରୋନା ଯୋଦ୍ଧାର ପ୍ରକୃତ ପରିଚୟ ଦେଇଛନ୍ତି । ଯାହାକୁ ନେଇ ସମଗ୍ର ଅଂଚଳର ବୁଦ୍ଧି ଯିବିବମାନେ ସାମ୍ବାଦିକ ମାନଙ୍କୁ ପ୍ରଶଂସା କରିଛନ୍ତି । ବାଳକାଟି ରଙ୍ଗଣୀସାହି ଗ୍ରାମର ଶତାୟୁ ବୃଦ୍ଧା ତଅପୋଇ ବେହେରାଙ୍କର ଶାରୀରିକ ଅସୁସ୍ଥତା ଯୋଗୁଁ ମୃତ୍ୟୁ ଘଟିଥିଲା । ତେବେ ବିଡ଼ମ୍ବନା କରୋନା ସଂକ୍ରମଣ ଆତଙ୍କରେ ଭୟଭୀତ ହୋଇ ଶବକୁ ବନ୍ଧୁ, ପରିଜନ, ଜ୍ଞାତି କୁଟୁମ୍ବ କେହି ବି କାନ୍ଧ ଦେଇନଥିଲେ । ବୃଦ୍ଧାଙ୍କର ନାତି କରୋନାରେ ସଂକ୍ରମିତ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଥିଲା । ଶନିବାର ରାତ୍ରିରୁ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାର ପ୍ରାୟ ୧୧ଟା ପର୍ଯ୍ୟନ୍ତ ମୃତ ଦେହ ପଡି ରହିଥିଲା । ଏଭଳି ସ୍ଥିତିରେ ଶ୍ରୀ ଜୟଦେବ ଫ୍ରେସ ୟୁନିଅନ ଏବଂ ଜୟଦେବ ଯୁବ ସାମ୍ବାଦିକ ସଂଘର କାର୍ଯ୍ୟରତ ସାମ୍ବାଦିକ ବନ୍ଧୁମାନେ ପ୍ରକୃତ କରୋନା ଯୋଦ୍ଧାର ପରିଚୟ ଦେଇ ଅସହାୟ ମହିଳା ତଅପୋଇଙ୍କ ମୃତଦେହକୁ କୋକେଇରେ ବାନ୍ଧି ଗାଁ ରାସ୍ତା ଦେଇ ଦୀର୍ଘ ୨ କିଲୋମିଟର ବୋହିନେଇ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି । ଶବକୁ ବୋହି ନେବାଠାରୁ ଆରମ୍ଭ କରି ଜୁଇରେ ଅଗ୍ନି ସଂଯୋଗ କରିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସମ୍ପାଦନ କରିଥିଲେ । ଏହି ଶବ ସଂସ୍କାର କାର୍ଯ୍ୟରେ ୟୁନିଅନର ସଭାପତି ନିରଂଜନ ସେନାପତିଙ୍କ ସହିତ, ବଟକୃଷ୍ଣ ମହାପାତ୍ର, ଗଗନ ଭୋଇ, ପିତବାସ ଦାସ, ଜିତେନ୍ଦ୍ର କୁମାର ବେଉରା, ଆଶୁତୋଷ ଚୌଧୁରୀ, ବିଭୁତି ଭୂଷଣ ପ୍ରଧାନଙ୍କ ସମେତ ପ୍ରକୃତି ବନ୍ଧୁ ଦିନବନ୍ଧୁ ଭୋଇ, ପ୍ରତାପ ଶାସନ ସରପଞ୍ଚ ଭାଗ୍ୟଧର ନନ୍ଦି ପ୍ରମୁଖ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିଲେ । ଏହି ମହତ୍ୱ କାର୍ଯ୍ୟରେ ଥାନା ଅଧିକାରୀ ପ୍ରଦୀପ କୁମାର ରାଉତଙ୍କ ସମେତ ବାଳକାଟୀ ଫାଣ୍ଡିର ୩ ଜଣ ପୋଲିସ ବନ୍ଧୁ ମଧ୍ୟ ସହଯୋଗ କରିଥିଲେ ।






