ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ସର୍ବାନନ୍ଦ ସୋନଓାଲ ଆଜି ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଅନ୍ୟ ପକ୍ଷରେ ଆଜି ବସିଛି ବିଜେପି ବିଧାୟକ ଦଳ ବୈଠକ । ଏଥିରେ ସ୍ଥିର ହେବ କିଏ ହେବ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏଥିରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଦଳୀୟ ସାଧାରଣ ସଂପାଦକ ଅରୁଣ ସିଂହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଛନ୍ତି । ଯାହା ସୂଚନା ମିଳିଛି ହିମନ୍ତ ବିଶ୍ୱଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ଶନିବାର ଉଭୟ ସର୍ବାନନ୍ଦ ସୋନୱାଲ ଓ ହିମନ୍ତ ବିଶ୍ୱଶର୍ମା ଦିଲ୍ଲୀ ଯାଇଥିଲେ । ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହିତ ସେମାନଙ୍କର ସରକାର ଗଠନ ନେଇ ଆଲୋଚନା ହୋଇଥିଲା । ହିମନ୍ତ ବିଶ୍ୱଶର୍ମା ଓ ସୋନୱାଲଙ୍କ ସହ ଶାହ, ନଡ୍ଡା ଏବଂ ଦଳର ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ । ପ୍ରଥମେ ବିଶ୍ୱଶର୍ମାଙ୍କ ସହ ଆଲୋଚନା କରିବା ପରେ ସୋନୱାଲଙ୍କୁ ଡାକରା ମିଳିଥିଲା । ସୂଚନାନୁସାରେ, ସର୍ବାନନ୍ଦ ସୋନୱାଲଙ୍କ ନେତୃତ୍ୱାଧୀନ ସରକାରରେ ହିମନ୍ତ ବିଶ୍ୱଶର୍ମା ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ । ସେ ଆସାମରେ ବିଜେପିର ସଙ୍କଟମୋଚକ ଭାବେ ମଧ୍ୟ ବେଶ ଜଣାଶୁଣା ।





