ଆସିକା (ବାଘୁଆବାର୍ତ୍ତା): ଘର ଭିତରେ ପଡିଛି ମାଆର ମୃତଦେହ । ଆଉ ତା’ପାଖରେ କଇଁ କଇଁ ହୋଇ କାନ୍ଦୁଛି କୁନି ଝିଅ । ହେଲେ ମାଆ ଉଠୁନି । କାରଣ ମାଆ ଚାଲି ଯାଇଛି ଅଫେରା ରାଇଜକୁ । ଆଜି ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । କୋଭିଡରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ସାହିଭାଇ ମୃତଦେହ ଉଠାଉ ନାହାନ୍ତି । ଶେଷରେ ପ୍ରଶାସନିକ ଅଧିକାରୀମାନେ ମୃତଦେହକୁ ଉଦ୍ଧାର କରି କୋଭିଡ ଗାଇଡଲାଇନ ଅନୁସାରେ ସଂସ୍କାର କରିଛନ୍ତି । ଅନ୍ୟପକ୍ଷରେ କୁନି ଝିଅକୁ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା କରାଯାଉଥିବା ଜଣାପଡିଛି । ପୂରା ଘଟଣା ଏମିତି ଆସିକା ଥାନା ମାମୁଢିଅ ଗାଁର ସଞ୍ଜୟ ସାହୁ କିଛି ବର୍ଷ ତଳେ ପାଣିବନ୍ଦ ଗ୍ରାମର ଝିଲି ସେଠୀଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ଉଭୟେ କଲେଜ ଛକ ସ୍ଥିତ ଗୋଲାପଲ୍ଲି ଅଞ୍ଚଳରେ ଭଡା ଘରେ ରହୁଥିଲେ । ପରିବାର ପ୍ରତି ପୋଷଣରେ ସମସ୍ୟା ହେବାରୁ ସଞ୍ଜୟ ସୁରାଟ ପଳାଇଯାଇଥିଲେ । ଘରେ ଝିଲି ଓ ଦୁଇ ମାସର ଝିଅ ଥିଲେ । ଆଜି ସକାଳେ କିନ୍ତୁ ଘର କବାଟ ଖୋଲି ନଥିଲା । ଆଉ ଘର ଭିତରୁ ଝିଅ କାନ୍ଦ ଶୁଣିବାକୁ ମିଳିଲା । ସାହିଭାଇଙ୍କ ମନରେ ସନ୍ଦେହ ହେବାରୁ ଆସିକା ଥାନାକୁ ଖବର ଦେଇଥିଲେ । ଖବର ପାଇ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସଦଳ ବଳେ ଗାଁରେ ପହଞ୍ଚିଥିଲେ । ସେତେବେଳେକୁ ବର ଗାଁ ସରପଞ୍ଚ ପ୍ରତିନିଧି ଶିବ ନାହାକ ଓ ସ୍ୱେଚ୍ଛାସେବୀମାନେ ପିପିଇ କିଟ ପରିଧାନ କରି ଅପେକ୍ଷା କରିଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ମୃତଦେହ ସଂସ୍କାର କରାଯାଇଥିଲା । ତେବେ ଝିଲିକୁ କରୋନା ହୋଇଥିଲା କି ନାହିଁ ଜଣାପଡି ନାହିଁ । ସେପଟେ ଘରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର କରୋନା ଟେଷ୍ଟ ହୋଇଥିବା ଜଣାପଡିଛି । ଝିଅ କରୋନା ଟେଷ୍ଟ ରିପୋର୍ଟ ଆସିଲେ ଚାଇଲଡ ଲାଇନକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।






