ରାଇରଙ୍ଗପୁର (ବାଘୁଆବାର୍ତ୍ତା): ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ ଚାଲିଗଲା ୨ ଜଣଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡର ବିଶୋଇ ରେଞ୍ଜର ଟୁଙ୍ଗୁରୁ ଜଙ୍ଗଲରେ । ରାଇରଙ୍ଗପୁର ବନଖଣ୍ଡ ବିଶୋଇ ଥାନା ଦୁଧକୁଣ୍ଡି ଗ୍ରାମର ଦୁଇଜଣ ମହିଳା ଓ ଜଣେ ନାବାଳିକା ଗୋଟିଏ ପରିବାରର ୩ ଜଣ ଗାଁ ପାଖ ଜଙ୍ଗଲକୁ ଜାଳେଣି କାଠ, ଶାଗ ପ୍ରଭୃତି ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ସେମାନେ ହାତୀ ଆକ୍ରମଣରେ ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା । ମୃତକ ଦ୍ୱୟ ହେଲେ ମେଘନା ବିନ୍ଧାଣି ଓ କାନ୍ଦିରି ମୁର୍ମୁ । ତେବେ ଧାନୀ ବିନ୍ଧାଣି ନାମକ ମହିଳା ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଗୁରୁତର ଧାନୀଙ୍କୁ ଉଦ୍ଧାର କରି ବାରିପଦା ପିଆର ଏମରେ ଭର୍ତ୍ତି କରାଯାଇଛି । ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିବା ସୂଚନା ମିଳିଛି ।






