ନୟାଗଡ଼ (ବାଘୁଆବାର୍ତ୍ତା): ସମ୍ପର୍କୀୟ ଝିଆରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ମଉସାକୁ ଗିରଫ କରିଛି । ଘଟଣାଟି ଘଟିଛି ମାଲଗୋଦାମ ଥାନା ଅଞ୍ଚଳରେ । ଅଭିଯୁକ୍ତ ହେଲା ଯୋବ୍ରା ତଳସାହିର ଅରୁଣ ପ୍ରଧାନ (୪୩) । ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନୟାଗଡ଼ ଅଞ୍ଚଳର ଜଣେ ୧୨ ବର୍ଷର ନାବାଳିକା ଘରୁ ରାଗିଯାଇ କଟକ ପଳାଇ ଆସିଥିଲା । କଟକ ଯୋବ୍ରା ତଳ ସାହିରେ ନାବାଳିକା ସମ୍ପର୍କୀୟ ମଉସା ଅରୁଣ ପ୍ରଧାନ ରହୁଥିଲେ । ତେଣୁ ନାବାଳିକା ଅରୁଣ ପାଖରେ ଯାଇ ରହିବାକୁ ଲାଗିଲା । ଅରୁଣ ସେଠାରେ ଭଡାରେ ରହୁଥିଲେ । ସେ ଜଣେ ଶ୍ରମିକ ଶ୍ରେଣୀର ବ୍ୟକ୍ତି । ଗଲା କିଛି ଦିନ ହେବ ଅରୁଣ ଘର ମାଲିକ ଦେଖିବାକୁ ପାଇଲେ ଯେ, ଅରୁଣ ଜୋର ଜବରଦସ୍ତ ତାର ସମ୍ପର୍କୀୟ ଝିଆରୀଙ୍କୁ ଦୁଷ୍କର୍ମ କରୁଛି । ଏ ବିଷୟରେ ଜାଣିବା ପରେ ଘର ମାଲିକ ସେହି ନାବାଳିକାଙ୍କୁ ପଚାରିବାରୁ ସେ ସବୁ କଥା କହିଥିଲେ । ଏହାପରେ ଅରୁଣଙ୍କର ଘର ମାଲିକ ମାଲଗୋଦାମ ଥାନା ଯାଇ ଘଟଣା ବିଷୟରେ ସବୁ କଥା କହିଥିଲେ । ପୁଲିସ ଏକ ମାମଲା ରୁଜୁ କରି ନାବାଳିକାଙ୍କୁ ପଚାରିବାରୁ ସେ ଏହି ଦୁଷ୍କର୍ମ କଥା କହିଥିଲେ । ଏହାପରେ ପୁଲିସ ନାବାଳିକାଙ୍କୁ ନେଇ କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଇଥିଲା । ପରେ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯିବାରୁ ସେଠାରେ ବଳାତ୍କାରର ପ୍ରମାଣ ମିଳିଥିଲା । ଏ ବିଷୟ ଜାଣିବା ପରେ ପୁଲିସ ଆଜି ଅଭିଯୁକ୍ତ ଅରୁଣକୁ ଗିରଫ କରିଛି । ଅରୁଣର ଡାକ୍ତରୀମାଇନା କରାଇଛି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜଣେ ନାବାଳିକା ଘରୁ ପଳାଇ ଆସି ଶରଣ ନେବା ପରେ ସମ୍ପର୍କୀୟ ମଉସା ତା’ ସହିତ ଦୁଷ୍କର୍ମ କରିବା ବିଷୟକୁ ସାଧାରଣରେ କଡା ନିନ୍ଦା କରାଯାଇଛି । ଅଭିଯୁକ୍ତକୁ କଡା ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି । ନାବାଳିକାଙ୍କୁ ବସୁନ୍ଧରାରେ ରଖାଯାଇଛି ।






