ଖଲ୍ଲିକୋଟ (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଲପୁର ଗ୍ରାମ ନିକଟ ଚିଲିକାରେ ଅଘଟଣ ଘଟିଛି । ରାମ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ଚିଲିକାରେ ବୁଡି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି । ମୃତକ ଜଣକ ହେଲେ ଓଡ଼ିଆ ଆଲପୁର ଗ୍ରାମର ବିଭୁତି ତରେଇ । ସୂଚନାନୁସାରେ, ଚିଲିକା ନିକଟବର୍ତ୍ତୀ ଓଡ଼ିଆ ଆଲପୁର ଗ୍ରାମରେ ୧୪ ଦିନ ଧରି ରାମ ନବମୀ ପୂଜା ଚାଲିଥିଲା । ତେବେ ମୂର୍ତ୍ତି ବିସର୍ଜନ କରିବା ପାଇଁ ବୁଧବାର କିଛି ଯୁବକ ଡଙ୍ଗା ସାହାଯ୍ୟରେ ଚିଲିକା ଭିତରକୁ ଯାଇଥିଲେ । ହଠାତ ଗଭୀର ପାଣି ଭିତରକୁ ଚାରିଜଣ ଖସି ପଡିଥିଲେ । ପରେ ପାଖରେ ଥିବା ଡଙ୍ଗା ସାହାଯ୍ୟରେ ଗ୍ରାମବାସୀ ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଥିଲେ । ଉଦ୍ଧାର ତିନି ଗୁରୁତରଙ୍କୁ ଖଲ୍ଲିକୋଟ ମେଡିକାଲ ଭର୍ତ୍ତି କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଅଗ୍ନିଶମ ବାହିନୀ ଓ ପଥରା ଗ୍ରାମର ଯୁବ ଗୋଷ୍ଠୀ ମିଳିତ ଭାବେ ଦୀର୍ଘ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଖୋଜ ଥିବା ଯୁବକକୁ ଉଦ୍ଧାର କରିଥିଲେ । ପରେ ଅଗ୍ନିଶମ ବାହିନୀ ଗାଡ଼ି ଯୋଗେ ଯୁବକଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ ।






