ଭୁବନେଶ୍ୱର (ବାଘୁଆବାର୍ତ୍ତା): ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି । ଦୈନିକ ସଂକ୍ରମଣ ୪ ଲକ୍ଷ ପାର କରିଛି । ଦେଶରେ କରୋନା ସଂକ୍ରମଣରେ ବ୍ରେକ ଲଗାଇବାକୁ ହେଲେ ପୁଣି ଥରେ ଲକଡାଉନ ଲଗାଇବାକୁ ପଡ଼ିବ । ସଂକ୍ରମଣ ରୋକିବାକୁ ହେଲେ ଗତବର୍ଷ ଭଳି ଏଥର ଭାରତ ସରକାର ଲକଡାଉନ ଲଗାଇବା ଦରକାର ବୋଲି ଆମେରିକାର ଜଣେ ବରିଷ୍ଠ ଏପିଡେମିଓଲୋଜିଷ୍ଟ ଆନ୍ଥୋନୀ ଫାଓଚି କହିଛନ୍ତି । ଭାରତରେ କିଛି ସପ୍ତାହ ପାଇଁ ଲକଡାଉନ ଲାଗୁ ହେଲେ ସଂକ୍ରମଣ ଉପରେ କାବୁ ଆସିପାରିବ ବୋଲି କହିଛନ୍ତି । ଏହା ବ୍ୟତୀତ କରୋନାକୁ ରୋକିବା ପାଇଁ ସେ ଅନ୍ୟ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି । ଯେଉଁଭଳି ଭାବେ ଭାରତରେ କରୋନାର ଦ୍ୱିତୀୟ ଲହର ମାଡ଼ିଚାଲିଛି ଏପରି ସ୍ଥଳେ ତତ୍କାଳ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହି ସମୟରେ କିଛି ସପ୍ତାହ ପାଇଁ ଲକଡାଉନ ଏକ ଉତ୍ତମ ବିକଳ୍ପ ସାବ୍ୟସ୍ତ ହୋଇପାରେ । ଫାଓଚି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା ମଧ୍ୟ ଅଛନ୍ତି । ଡାକ୍ତର ଫାଓଚି ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଔଷଧ, ଅକ୍ସିଜେନ, ପିପିଇ କିଟର ଶୀଘ୍ର ଉପଲବ୍ଧତା ଉପରେ ଗୁରୁତ୍ୱ ଦେବା ଦରକାର । ଭାରତ ଯେଉଁଭଳି ସଙ୍କଟ ଦେଇ ଗତି କରୁଛି ଏହି ସମୟରେ ସଙ୍କଟ ହରଣ ସମୂହକୁ ଏକତ୍ରତି କରିବା ସମୟ ଆସିଛି । ଏହା ଦ୍ୱାରା କରୋନାକୁ ରୋକିବା ପାଇଁ ଯଥାସମ୍ଭବ ଉପାୟ ଅବଲମ୍ବନ କରାଯାଇପାରିବ । ଏହା ସହ ସେ କୌଣସି ଦେଶର ନାଁ ନନେଇ ସେ କହିଛନ୍ତି, ‘ସମୟ ପୂର୍ବରୁ ବିଜୟ ଘୋଷଣା କରିବା ଅପରିପକ୍ୱତା ଅଟେ ।’ ଏବେ ଭାରତ ସରକାର ଯଥାସମ୍ଭବ ଦେଶକୁ ଅସ୍ଥାୟୀ ରୂପେ ବନ୍ଦ କରିବା ଦରକାର ବୋଲି ସେ କହିଛନ୍ତି । ଚୀନର ଉଦାହରଣ ଦେଇ ସେ କହିଛନ୍ତି, ଗତବର୍ଷ ଚୀନରେ ସଂକ୍ରମଣ ବିସ୍ଫୋରଣ ଦେଖିବାକୁ ମିଳିବା ପରେ ସେଠାକାର ସରକାର ପୂରା ଦେଶକୁ ବନ୍ଦ କରିଦେଇଥିଲେ । କିନ୍ତୁ ଏବେ ଦେଶକୁ ୬ ମାସ ପୂରା ବନ୍ଦ କରିବାର ଆବଶ୍ୟକତା ନଥିଲେ ବି ଆବଶ୍ୟକତା ଅନୁସାରେ ଅସ୍ଥାୟୀ ଭାବେ ଲକଡାଉନ ଲଗାଯିବା ଦରକାର । ଲକଡାଉନ ଦ୍ୱାରା ସଂକ୍ରମଣ ଗତି କମିବ । କୌଣସି ସରକାର ନିଜ ଦେଶକୁ ବନ୍ଦ କରିବାକୁ ପସନ୍ଦ କରିବେ ନାହିଁ । କିନ୍ତୁ ଅସ୍ଥାୟୀ ଭାବେ ଲକଡାଉନ ଲଗାଇବା ଉପରେ ବିଚାର କରିବା ଦରକାର ବୋଲି ଡାକ୍ତର ଆନ୍ଥୋନୀ ଫାଓଚି କହିଛନ୍ତି ।






