ନୟାଗଡ଼ (ବାଘୁଆବାର୍ତ୍ତା): କଥାରେ ଅଛି ଘରପୋଡ଼ି ଠାରୁ ବିପତ୍ତି ନାହିଁ । ଏ ଉକ୍ତିର ପ୍ରାସଙ୍ଗିକତା ଅନୁଭବ ହୁଏ ଓଡଗାଁ ବ୍ଳକ ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତ ମଧ୍ୟରେ ଥିବା ଗାଁ ନୂଆସାହିକୁ ଦେଖିବାପରେ । ଗାଁ ସତେ ଯେମିତି ପାଲଟିଛି ପୋଡା ଭୂଇଁ । ୨୨ଟି ପରିବାର ହୋଇଯାଇଛନ୍ତି ସର୍ବସ୍ୱାନ୍ତ । କିଛି ପୋଡା ଖୁଣ୍ଟି ଆଉ ଗଦାଏ ମାଟି ହିଁ ପାଲଟିଛି ଘରର ସନ୍ତକ । ଫଳନ୍ତି ପଣସ, ଆମ୍ବଗଛ ଜଳିଯାଇଛି, ନିଆଁର ପ୍ରକୋପ ଏତେ ଥିଲା ଯେ ନଡ଼ିଆ ଗଛ ମଧ୍ୟ ଜଳି ଥୁଣ୍ଟା ହୋଇଯାଇଛି । ଘରପୋଡିରେ ବିପନ୍ନ ପରିବାର ପରିବାରକୁ ସାମାନ୍ୟ ସହାୟତା ପ୍ରଦାନ କରାଯାଇଛି ଉତ୍କଳ ସମ୍ମିଳନୀ, ନୟାଗଡ଼ ଜିଲ୍ଲା ଶାଖା ତରଫରୁ । ସମ୍ମିଳନୀର ସଭାପତି ବସିରନ୍ ବିବି ଓ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ସୁକାନ୍ତି ମହାନ୍ତି, ରୀତାରାଣୀ ମିଶ୍ର, ମମତା ମଂଜରୀ ଦେବୀ, ପ୍ରବାସୀନୀ ବରାଡ, ସସ୍ମିତା ଆଚାର୍ଯ୍ୟ, ରଂଜନ ରଶ୍ମି ଜେନା, ସତ୍ୟପ୍ରିୟ ପଣ୍ଡା, ଗୀତିକଳ୍ପ ହରୀଶ ପ୍ରଧାନ ପ୍ରମୁଖ ନୂଆସାହି ଗ୍ରାମରେ ପହଞ୍ଚି ବିପନ୍ନ ପରିବାରକୁ ଭେଟି ଶାନ୍ତ୍ୱନା ଦେବା ସହ ପ୍ରତ୍ୟେକ ପରିବାରକୁ ଲୁଗା, ଲୁଙ୍ଗି, ଗାମୁଛା, ଧୋତି, ଛତୁଆ, ସପ, ବିସ୍କୁଟ ଆଦି ପ୍ରଦାନ କରିଥିଲେ । ଘରପୋଡି ପରେ ଆରମ୍ଭ ହୋଇଥିବା ଜଳକଷ୍ଟରୁ ରକ୍ଷା ପାଇବା ପାଇଁ ଖୁବ ଶୀଘ୍ର ନୂଆ ନଳକୂପ ଖୋଳାଇବାର ଅବାଶ୍ୟକତା ଅଛି ବୋଲି ନୂଆସାହିର ୱାର୍ଡ ମେମ୍ବରଙ୍କ ସହ ମହିଳା ଓ ପୁରୁଷ ଗ୍ରାମବାସୀମାନେ ସମ୍ମିଳନୀର କର୍ମକର୍ତ୍ତାଙ୍କ ଆଗରେ ପ୍ରକାଶ କରିଥିଲେ । ବିପନ୍ନ ପରିବାର ମଧ୍ୟରେ ଥିବା ଛୋଟ ପିଲାମାନଙ୍କ ପାଇଁ ପୋଷାକ, ଖାଦ୍ୟ, ପାଠ୍ୟର ଉପକରଣ ଆଦି ଉତ୍କଳ ସମ୍ମିଳନୀ ତରଫରୁ ପ୍ରଦାନ କରାଯିବ ବୋଲି ସମ୍ମିଳନୀର ସଭାପତି ଉପସ୍ଥିତ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ ।






