ଭୁବନେଶ୍ୱର (ବାଘୁଆବାର୍ତ୍ତା): ପ୍ରେମିକ ପାଲଟିଲା ଚୋର । ଚୋରି ଟଙ୍କାରେ ପ୍ରେମିକାକୁ ଦେଲା ଦାମୀ ଗିଫ୍ଟ । ଜଣେ ନାବାଳକ ପ୍ରେମିକାକୁ ଖୁସି କରିବାକୁ ଯାଇ ଚୋରି କରିଛି । ଚୋରି ଟଙ୍କାରେ ପ୍ରେମିକାକୁ ହୀରା ମୁଦି ଉପହାର ଦେଇଛି । ଶେଷରେ ପୁଲିସ ହାତରେ ଧରାପଡ଼ି ଜେଲ ଯାଇଛି । ଏଭଳି ଘଟଣା ଘଟିଛି ରାଜଧାନୀରେ । ଗିରଫ ନାବାଳକ ହେଉଛି ଖାରବେଳନଗର ଥାନା ଅଞ୍ଚଳର । ପୁଲିସ ନାବାଳକ ଠାରୁ ଚୋରି ଲାପଟପ, ୩୬ ହଜାର ଟଙ୍କା ଓ ଏକ ହୀରା ମୁଦି ଜବତ କରିଛି । ଏହି ଚୋରିରେ ସଂପୃକ୍ତ ଅନ୍ୟ ଜଣେ ନାବାଳକ ଏବେ ଫେରାର୍ ଅଛି । ପୁଲିସ ସୂଚନା ଅନୁଯାୟୀ, ୟୁନିଟ-୪ ଶାସ୍ତ୍ରୀନଗର ପ୍ଲଟ ନଂ-୧/ଏରେ ରହୁଛନ୍ତି ଡାକ୍ତର ଜି.ବି. ପତି । ଗତ ୨୭ ତାରିଖରେ ଡାକ୍ତରଙ୍କ ପୁଅ ଶିବାଶିଷ ପତି ତାଙ୍କ କମ୍ପୁଟର ରୁମକୁ ସକାଳେ ଯିବା ବେଳେ ଉକ୍ତ ଘରୁ ଏକ ଦାମୀ ଲାପଟପ ଓ ଟେବୁଲ ଡ୍ରୟାରରୁ ୫୮ ହଜାର ଟଙ୍କା ଚୋରି ଯାଇଥିବା ଜାଣିବାକୁ ପାଇଥିଲେ । ସେ ତାଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କଲାବେଳେ ସେଥିରେ ଚିତ୍ର ସ୍ପଷ୍ଟ ଆସି ନଥିଲା । ତେଣୁ ସେ ସମ୍ମୁଖ ଘରେ ଲାଗିଥିବା ସିସିଟିଭି ଫୁଟେଜ ଦେଖିବା ବେଳକୁ ୨ ଜଣ ତାଙ୍କ ଘରେ ପଶି ଚୋରି କରିଥିବା ଜାଣିବାକୁ ପାଇଥିଲେ । ଦେବାଶିଷ ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସିସିଟିଭି ଫୁଟେଜରୁ ଶାସ୍ତ୍ରୀନଗର ଅଞ୍ଚଳରେ ରହୁଥିବା ନାବାଳକ(୧୭)କୁ ଚିହ୍ନଟ କରିଥିଲେ । ତାକୁ ଜେରା ବେଳେ ସେ ଚୋରି ଟଙ୍କାରୁ ୨୨ ହଜାର ଟଙ୍କା ଦେଇ ଏକ ଜୁଏଲାରୀ ଦୋକାନରୁ ହୀରା ମୁଦି କିଣିଥିଲା । ଉକ୍ତ ମୁଦିକୁ ସେ ତା’ ପ୍ରେମିକାକୁ ଦେଇଥିବା କହିଥିଲା । ପୋଲିସ ନାବାଳକକୁ ଧରି ପ୍ରେମିକା ଠାରୁ ହୀରା ମୁଦି ଜବତ କରିଥିଲା । ଏଥିସହ ନାବାଳକ ଠାରୁ ୩୬ ହଜାର ଟଙ୍କା ଓ ଲାପଟପ ଜବତ କରିଥିଲା । ଆଜି ନାବାଳକକୁ କୋର୍ଟ ଚାଲାଣ କରାଯାଇଛି । ଏଥିରେ ସଂପୃପ୍ତ ଅନ୍ୟ ଜଣେ ନାବାଳକକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।






