ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୌରପରିଷଦ କାର୍ଯ୍ୟାଳୟର ୩ଜଣ କର୍ମଚାରୀଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସେମାନେ ହେଲେ ପୂର୍ଣ୍ଣଚନ୍ଦ୍ର ପାଣି, ଶରତ ଚନ୍ଦ୍ର ପାଣି ଓ ସନ୍ତୋଷ କୁମାର ଦାଶ । ସମ୍ମିଳନୀ କକ୍ଷରେ କୋଭିଡ୍ ଆଇନ୍ ଅନୁଯାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତେ ମାସ୍କ ପରିଧାନ ପୂର୍ବକ ସମଦୂରତା ରକ୍ଷା କରି ୩ଜଣ କର୍ମଚାରୀଙ୍କୁ ଉତ୍ତରୀୟ, ମାନପତ୍ର ଓ ସ୍ୱତନ୍ତ୍ର ଉପହାର ଦିଆଯାଇ ଅବସରକାଳୀନ ସମ୍ବର୍ଦ୍ଧନା କରାଯାଇଛି । ଦୀର୍ଘ ୩୬ବର୍ଷ ଧରି ଚାକିରୀ କରିଥିବା ଜୀବନର ଅଭୁଲା ସ୍ମୃତିକୁ ସେମାନେ ବର୍ଣ୍ଣନା କରିଥିଲେ । ପୌରଯନ୍ତ୍ରୀ ବାଇଧର ରାଉତ କବିତା ଆବୃତ୍ତି କରି ପରବର୍ତ୍ତୀ ଜୀବନକୁ ଶ୍ରୀମଦ୍ ଭାଗବତ ନୀତିରେ ପରିଚାଳନା କରିବାକୁ ପରାମର୍ଶ ଦେଇଛନ୍ତି । ଉକ୍ତ ଉତ୍ସବରେ ଲକ୍ଷ୍ମୀଧର ମହାପାତ୍ର, କୈଳାସ ଚନ୍ଦ୍ର ଜେନା, ନଳିନୀକାନ୍ତ ମିଶ୍ର, ହଜରତ ଅଲ୍ଲୀ ଖାଁ ପ୍ରମୁଖ ପ୍ରବକ୍ତା ଉପସ୍ଥିତ ରହି ୩ଜଣ କର୍ମଚାରୀଙ୍କ ଅବଦାନକୁ ଭୁୟଶ୍ରୀ ପ୍ରଂଶସା କରିଥିଲେ । ପ୍ରତିଷ୍ଠାନ ବିଭାଗର ଇନଚାର୍ଜ ଗୋପାଳ ଚରଣ ନାୟକ, ଶିଶିର ମହାପାତ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୌର ଲୋକ ସଂପର୍କ ଓ ସୂଚନା ଅଧିକାରୀ ଗଜେନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।





