ପୁରୀ (ବାଘୁଆବାର୍ତ୍ତା): ରାଜ୍ୟରେ ଦିନକୁ ଦିନ କରୋନା ମାମଲା ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାର ଲଗାଇଛନ୍ତି କଟକଣା । ଏସବୁ ମଧ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ରାଜ୍ୟବାସୀ । ଏସବୁ ମଧ୍ୟରେ କରୋନାରୁ ମୁକ୍ତି ପାଇଁ ପ୍ରାର୍ଥନା କରି ମହାପ୍ରଭୁଙ୍କ ନିକଟରେ ଦୀପଦାନ କରାଯାଇଛି । ସାମ୍ପ୍ରତିକ କୋଭିଡ ପରିସ୍ଥିତିରେ ଆଜି ମହାପ୍ରଭୁଙ୍କ ନିକଟରେ ତିନୋଟି ଦୀପ ଦାନ କରାଯାଇଛି । ସମସ୍ତ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ସମ୍ମୁଖରେ ଏହି ଦୀପ ଦାନ ହୋଇଛି । ଏନେଇ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତିନୋଟି ଦୀପ ଦାନ କରି ନିର୍ଦ୍ଦିଷ୍ଟ ଭାବେ ଓଡ଼ିଶା ରାଜ୍ୟ, ଭାରତ ଦେଶ ଏବଂ ସମଗ୍ର ବିଶ୍ୱକୁ କରୋନା ମୁକ୍ତ କରିବା ସହ ସମସ୍ତଙ୍କ ମଙ୍ଗଳ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ।






