ନୟାଗଡ଼, (ବାଘୁଆବାର୍ତ୍ତା): ବସ୍ରୁ କମ୍ପ୍ୟୁଟର ଚୋରି କରିବା ଅଭିଯୋଗରେ ପ୍ଲାଣ୍ଟସାଇଟ୍ ଥାନା ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ପୁଲିସ୍ ଚୋରି କମ୍ପ୍ୟୁଟର ଜବତ କରିଛି । ଦୁଇ ଚୋରଙ୍କ ନାମରେ ପୁଲିସ୍ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ବାସନ୍ତୀ କଲୋନୀରେ ରହୁଥିବା ଅଭୟ କୁମାର ନାୟକ ଗୋଟିଏ ନୂଆ କମ୍ପ୍ୟୁଟରକୁ ପାରାଦୀପ ପଠାଇବା ଲାଗି ଶ୍ରୀ ମା’ବସ୍ର ଚାଳକଙ୍କୁ ଦେଇ ଆସିଥିଲେ । ମାତ୍ର ଗତକାଲି ଉକ୍ତ ବସ୍ଟି କୌଣସି କାରଣକୁ ନେଇ ଗତକାଲି ପାରାଦୀପ ଅଭିମୁଖେ ଯାତ୍ରା କରିନଥିଲା । ବସ୍ଟି ବସ୍ଷ୍ଟାଣ୍ଡରେ ପାର୍କିଂ ଥିବାବେଳେ କମ୍ପ୍ୟୁଟର ଚୋରି ହୋଇଥିଲା। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ କରି ଦୁଇ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଗିରଫ ଦୁଇ ଜଣ ହେଲେ ସ୍ଥାନୀୟ ଗାନ୍ଧି ରୋଡ଼ର ଶମ୍ଭୁ ରାମ (୨୦) ଓ ରୋହିତ ସିଂହ(୧୯) । ଉଭୟଙ୍କୁ ଗିରଫ୍ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।






