ନୟାଗଡ଼ (ବାଘୁଆବାର୍ତ୍ତା): କରୋନାର ଦ୍ୱିତୀୟ ଲହର ଯୁବଗୋଷ୍ଠୀଙ୍କୁ କରାୟତ କରିଛି । ଏହି ଦ୍ୱିତୀୟ ଲହରରେ ଅନେକ ଯୁବକଙ୍କ ପ୍ରାଣ ଯାଉଛି । ପ୍ରଥମ ଲହରରେ ବୟସ୍କ ଲୋକଙ୍କର ଅଧିକ ପ୍ରାଣ ନେଇଥିôବା କରୋନା ଦ୍ୱିତୀୟ ଲହରରେ ଯୁବଗୋଷ୍ଠୀଙ୍କ ଉପରେ ନଜର ପକାଇଛଇ । ଟିକିଏ ସଚେତନତା ନହେଲେ ନେଇଯାଉଛି ଜୀବନ । ଏହିପରି ଅନେକ କାହାଣୀ ଦେଖିବାକୁ ମିଳିଲାଣି । ଗୋଟିଏ ଦିନ ପରେ ବର ବେଶରେ ସଜେଇ ହୋଇ ବାହା ହେବାକୁ ଯାଇଥାନ୍ତେ । ବରଯାତ୍ରୀ ସହ ବାଜା-ରୋଷଣୀରେ ଚତୁର୍ଦିଗ କମ୍ପିଥାନ୍ତା । ଫୁଲରେ ସଜା କାରରେ ବର ବାହାରି କନିଆଁ ଘରେ ପହଁଞ୍ଚିଥାନ୍ତା । ସେଠାରେ କନିଆଁ ସଜେଇ ହୋଇ ବେଦୀକୁ ଆସିଥାନ୍ତେ । ବେଦୀରେ ପଣ୍ଡିତ ମନ୍ତ୍ରପାଠ କରିଥାନ୍ତେ । ବର-କନିଆଁ ଉଭୟେ ସାତ ଜନ୍ମର ସାଥି ହୋଇ ରହିବାକୁ ହୋମ ନିଆଁକୁ ସାକ୍ଷୀ କରି ଶପଥ ନେଇଥାନ୍ତେ । କିନ୍ତୁ ବିବାହର ଗୋଟିଏ ଦିନ ପୂର୍ବରୁ ସବୁ କିଛି ସରିଗଲା । ଭାଗ୍ୟରେ ଭାଗ ବସାଇଲା କରୋନା । ଏପ୍ରିଲ ୩୦ ଅର୍ଥାତ ଶୁକ୍ରବାର ବାହାଘର ଥିବା ବେଳେ ବୁଧବାର ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଘଟଣାଟି ଝାଡଖଣ୍ଡର କୋଡରମା ଜିଲ୍ଲା ଜୟନଗର ବ୍ଲକ ଜୟନଗର ବ୍ଳକ ଅନ୍ତର୍ଗତ ସତଡୀୟା ଗାଁରେ ଘଟିଟି । ମୃତକ ସଂଜିତ ଯାଦବ ଜଣେ ଇଞ୍ଜିନିୟର ଥିଲେ ଯିଏକି ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ବୁଧବାର ଲଗ୍ନ ଥିଲା । ମିଳିଥିବା ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ବିବାହ ପାଇଁ ସଂଜିତ ହାଇଦ୍ରାବାଦରୁ ଘରକୁ ଫେରିଥିଲେ ।ତାଙ୍କ ବାପା ବିଜୟ ଯାଦବ ଧାନବାଦରେ ଚାକିରୀ କରନ୍ତି । ସେଠାକୁ ଯାଇ ଦୁଇ ଦିନ ରହି ବାହାଘର ପାଇଁ କିଣାକିଣି କରିଥିଲେ ସଂଜିତ । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେ ଘରକୁ ଫେରି କରୋନା ପରୀକ୍ଷା କରାଇଥିଲେ । ରିପୋର୍ଟ ପଜିଟିଭ୍ ଆସିଥିଲା । ମଙ୍ଗଳାବର ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡ଼ିବାରୁ ତାଙ୍କୁ ଏକ ଘରୋଇ କ୍ଳିନିକରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୁଃର୍ଭାଗ୍ୟର ବିଷୟ ବୁଧବାର ସନ୍ଧ୍ୟାରେ ସଂଜିତଙ୍କ ମୃତ୍ୟୁ ହୋଇଛି । ସଂଜିତଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦୁଇ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ସାଥି ଟିଏ ପାଇବା ପୂର୍ବରୁ ତାଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛି କନିଆଁ ।






