ନୟାଗଡ଼, (ବାଘୁଆବାର୍ତ୍ତା): ପାଖରେ ଅର୍ଥ ଥିଲେ ବି ଅକ୍ସିଜେନ୍ କିଣି ପାରୁନୁ । କିନ୍ତୁ ଘରେ ଘରେ ଅକ୍ସିଜେନ ଯୋଗାଇ ଦେବୁ ବୋଲି ଓଡ଼ିଶାବାସୀଙ୍କୁ କଥା ଦେଇଛୁ ବୋଲି କହିଛନ୍ତି ଶିଖ ଯୁବକ ସତବୀର ସିଂହ । ରାଜଧାନୀରେ ଏବେ କରୋନା ତାଣ୍ଡବ ରଚିଛି । ଘରେ କରୋନା ରୋଗୀ । ବର୍ତ୍ତମାନ ବହୁ ଜଣ ହୋମ ଆଇସୋଲେସନ୍ରେ ରହି ଚିକିତ୍ସିତ ହେଉଛନ୍ତି । ଘରେ ଚିକିତ୍ସିତ ହେଲେ ବି ରୋଗୀଙ୍କ ଭିତରେ ହଠାତ ଅମ୍ଳଜାନ ଅଭାବ ଦେଖା ଯାଉଛି । ଫଳରେ ମୃତ୍ୟୁମୁଖରେ ପଡୁଥିବା ଖବର ବି ଆସୁଛି । ଏଭଳି ସ୍ଥିତିରେ କଟକ-ଭୁବନେଶ୍ୱର ବାସୀଙ୍କ ଅସମୟରେ ବନ୍ଧୁ ସାଜିଛନ୍ତି ଭୁବନେଶ୍ୱର ସହିଦନଗର ଅଞ୍ଚଳର ସତ୍ବୀର ସିଂହ । ଅମ୍ଳଜାନ ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ସତ୍ବୀର ଓ ତାଙ୍କ ଟିମ୍ । କିଛି ଯୁବକ ଶିଖ୍ଏଡ୍ ଚାରିଟେବୁଲ ଟ୍ରଷ୍ଟ ଜରିଆରେ ଗୁରୁତର ରୋଗୀଙ୍କ ପାଖରେ ଅକ୍ସିଜେନ ସିଲିଣ୍ଡର ପହଞ୍ଚାଉଛନ୍ତି । ତା’ସହିତ ଅକ୍ସିମିଟର, ମେଡିକାଲ ସାମଗ୍ରୀ ମଧ୍ୟ ଯୋଗାଇ ଦେଉଛନ୍ତି । ସତ୍ବୀରଙ୍କ କହିବା ଅନୁଯାୟୀ, ଗତ ବର୍ଷ କରୋନା ସମୟରେ ମୋର ପୂରା ପରିବାର ସଂକ୍ରମିତ ହୋଇଥିଲେ । ସେହି ସମୟରେ ଗୋଟିଏ ଅକ୍ସିଜେନ ସିଲିଣ୍ଡର ଯୋଗାଡ଼ କରିବା ମୋ ପାଇଁ କଷ୍ଟକର ହୋଇ ପଡ଼ିଥିଲା । ମୋର ଜଣେ ବନ୍ଧୁ ବହୁ କଷ୍ଟରେ ଅକ୍ସିଜେନ ସିଲିଣ୍ଡର ଯୋଗାଡ଼ କରି ଦେବା ପରେ ଘରର କିଛି ସଦସ୍ୟ ସୁସ୍ଥ ଅନୁଭବ କରିଥିଲେ । ତା’ପରେ କୋଭିଡ ଭଳି ସଙ୍ଗୀନ ସ୍ଥିତିରେ ଅକ୍ସିଜେନ ଆବଶ୍ୟକତା କରୁଥିବା ରୋଗୀଙ୍କୁ ସିଲିଣ୍ଡର ଯୋଗାଇବା ପାଇଁ ମନସ୍ଥ କରିଥିଲି । ୨୦୨୦ ମସିହା ଅଗଷ୍ଟ ମାସରୁ ଏଯାବତ ସତବୀର କଟକ ଓ ଭୁବନେଶ୍ୱର ଗୃହ ସଂଗରୋଧ ସଂକ୍ରମିତଙ୍କୁ ପାଖାପାଖି ୧୦୦ଟି ଅମ୍ଳଜାନ ସିଲିଣ୍ଡର ଯୋଗାଇଛନ୍ତି । ଆଗକୁ ମଧ୍ୟ ଏହି ସେବା ଜାରି ରହିବ ବୋଲି ସେ କହିଛନ୍ତି । ସତବୀରଙ୍କ କହିବାନୁସାରେ, ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଅକ୍ସିଜେନ ସିଲିଣ୍ଡର ପାଇଁ କଲ୍ ଆସୁଛି । କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ନୂଆପଡା, ପୁରୀ ଭଳି ଅନେକ ସ୍ଥାନରୁ ଲୋକେ ବହୁବାର କଲ ମଧ୍ୟ କରୁଛନ୍ତି । କିନ୍ତୁ ସାରା ଓଡ଼ିଶାକୁ ଅକ୍ସିଜେନ ଯୋଗାଇବା ପାଇଁ ସିଲିଣ୍ଡର ଅଭାବ ପଡ଼ିଯାଉଛି । ପାଖରେ ଯଥେଷ୍ଟ ପରିମାଣରେ ଅର୍ଥ ଥିଲେ ବି ସିଲିଣ୍ଡର ମିଳୁନି । ଯାହା ଏବେ ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି ।





