ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ଅନେକ ହୃଦୟ ବିଦାରକ ଦୃଶ୍ୟ ଦେଖାଇଲାଣି । କେଉଁଠି ସ୍ତ୍ରୀ ଶତଚେଷ୍ଟା ପରେ ବି ସ୍ୱାମୀ ଚାଲିଯାଉଛି, ତ ଆଉ କେଉଁଠି ବିଦେଶରେ ଥାଇ ଭିଡିଓ କଲରେ ବାପାମାକୁ ପୁଅ ଅନ୍ତିମ ବିଦାୟ ଦେଉଛି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରୁ ମଧ୍ୟ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାର ପୂରା କାହାଣୀ ଜାଣିଲେ ଆପଣଙ୍କ ହୃଦୟ ବି କାନ୍ଦି ଉଠିବ । ଏଠାରେ ଏକ ଡାକ୍ତରଖାନାରୁ ମାଆର ଶବ ନେବାକୁ ମିଳିଲାନି ଆମ୍ବୁଲାନ୍ସ । ଶେଷରେ ମୃତ ମାଆକୁ ବାଇକ୍ରେ ବସାଇ ମଶାଣି ନେଲା ପୁଅ । ଶ୍ରୀକାକୁଲାମ ଜିଲ୍ଲାର ମଣ୍ଡାସା ମାଣ୍ଡାଲ ଗାଁର ଜଣେ ୫୦ ବର୍ଷୀୟା ମହିଳାଙ୍କ ଶରୀରରେ କରୋନା ଲକ୍ଷଣ ଦେଖା ଦେବା ପରେ ତାଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଟେଷ୍ଟ ମଧ୍ୟ କରାଇଥିଲେ । କିନ୍ତୁ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଲା । କରୋନା ରିପୋର୍ଟ ଆସିବା ପୂର୍ବରୁ ହିଁ ଆରପାରିକୁ ଚାଲିଗଲେ ମହିଳା । ମହିଳାଙ୍କ ମୃତ୍ୟୁ ପରେ ହସପିଟାଲରେ ଆମ୍ବୁଲାନ୍ସ ପାଇଁ କହିଥିଲେ ପରିବାର ଲୋକେ । ହେଲେ କରୋନା କାର୍ଯ୍ୟରେ ଲିପ୍ତ ଥିବା ଯୋଗୁ ଡାକ୍ତରଖାନାରେ ଆମ୍ବୁଲାନ୍ସ ନଥିଲ । କରୋନା ପିଡୀତାଙ୍କ ଶବ ନେବାକୁ ଅନ୍ୟ କୌଣସି ଗାଡ଼ି ବି ରାଜି ହୋଇନଥିଲେ । ଶେଷରେ ବାଧ୍ୟ ହୋଇ ବାଇକ୍ରେ ବସାଇ ମୃତ ମାଆକୁ ମଶାଣି ନେଇଥିଲେ ପୁଅ ଓ ଜ୍ୱାଇଁ ।





