ନୟାଗଡ଼, (ବାଘୁଆବାର୍ତ୍ତା): ପ୍ରେମିକାକୁ ୪୩କୁ, ପ୍ରେମିକକୁ ୨୫ ବର୍ଷ । ୮ ବର୍ଷ ହେଲା ପାଉଥିଲେ ଭଲ, ଏକାଠି ବି ରହୁଥିଲେ । କିନ୍ତୁ ବାହା ବେଳକୁ ପ୍ରେମିକ କରିଦେଲା ମନା । ଦିଦିଙ୍କ ବୟସ ଠାରୁ ଛାତ୍ରଙ୍କ ବୟସ ସାନ ବୋଲି ବାହା ହେବାକୁ ମନାକରିଦେଲା ପ୍ରେମିକ । ତେବେ ବିବାହ ପ୍ରସ୍ତାବରେ ରାଜି ନହେବାରୁ ଜୀବନ ହାରିଛନ୍ତି ପ୍ରେମିକା ଦିଦି । ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶବନମଙ୍କ ଆତ୍ମହତ୍ୟା ଘଟଣାରେ ଫିଟୁଛି ଏମିତି କିଛି ଗୁମର । ଖବର ଅନୁଯାୟୀ, ଶବନମ୍ ଓ ତାଙ୍କୁ ପୁରୁଷ ବନ୍ଧୁ ରୋହନ ଓରାମଙ୍କ ମଧ୍ୟରେ ଦୀର୍ଘ ୮ବର୍ଷ ହେଲା ପ୍ରେମ ସଂପର୍କ ଥିଲା । ତେବେ ଉଭୟଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ମାସେ କି ୨ ମାସର ନୁହେଁ, ବରଂ ୨୦୧୮ ମସିହାରୁ ଉଭୟଙ୍କ ମଧ୍ୟରେ ମତାନ୍ତର ଚାଲିଥିଲା । ରୋହନଙ୍କୁ ନିଜ ଠାରୁ କେବେବି ହେଲେ ଦୂରେଇ ଦେବାକୁ ଚାହୁଁନଥିଲେ । ଶବନମ୍ । ରୋହନଙ୍କ ବୟସ ୧୮ ବର୍ଷ ସାନ ହେବା ପରେ ବି ବିବାହ କରିବା ପାଇଁ ଜିଦ୍ ଧରିଥିଲେ ଶବନମ୍ । ରୋହନଙ୍କୁ ଏ ପ୍ରସ୍ତାବ ମଞ୍ଜୁର ହେଉନଥିଲା । ସେ ପରିବାର ଲୋକଙ୍କୁ ମଧ୍ୟ ପ୍ରେମ ସମ୍ପର୍କ ବିଷୟରେ ନେଇ କିଛି କହିପାରୁନଥିଲେ । ତେଣୁ ବାଧ୍ୟ ହୋଇ ଗତ ୩ବର୍ଷ ହେଲା ଶବନମଙ୍କୁ ମିଛ ସତ କହି ସମୟ ଗଡ଼ାଇ ଚାଲିଥିଲେ ରୋହନ । ତେବେ ରବିବାର ଦିନ ସକାଳ ସମୟରେ ଦିଦି ଆଉ ଥରେ ଛାତ୍ର ପ୍ରେମିକଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଯେଉଁଥିଲାଗି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । କିନ୍ତୁ ଶବନମ୍ ରୋହନଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ, ଶେଷରେ ରୋହନ ରୋକ୍ଠୋକ୍ ମନା କରିଦେଇଥିଲେ । ଶେଷରେ ଶବନମ୍ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି ।





