ନୟାଗଡ଼, (ବାଘୁଆବାର୍ତ୍ତା): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ରାଣୀପାଳ ଗ୍ରାମରେ ବଧୂ ହତ୍ୟା ଅଭିଯୋଗ । ପରିବାର ଲୋକେ ପାରିବାରିକ କଳହକୁ ନେଇ କିରୋସିନି ଢାଳି ହତ୍ୟା କରିଥିବା ଅଭିଯୋଗ ଆଣିବା ପରେ ଟାଉନ ଥାନା ପୋଲିସ ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ସୂଚନାନୁସାରେ, ରବିବାର ରାତିରେ ନିଆଁରେ ପୋଡି ହୋଇଥିବା ରାଣିପାଳ ଗ୍ରାମର ଅନୀତା ମୁର୍ମୁଙ୍କୁ ଗ୍ରାମବାସୀ ଦେଖି ପୋଲିସ ଓ ଝିଅର ପରିବାର ଲୋକଙ୍କୁ ଖବର ଦେଇଥିଲେ । ତେବେ ଝିଅର ପରିବାର ଲୋକେ ପହଞ୍ଚିବା ବେଳେକୁ ଝିଅର ମୃତ୍ୟୁ ହୋଇସାରିଥିଲା । ମୃତ ଝିଅର ବାପା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀ ସାଉନା ମୁର୍ମୁଙ୍କ ଅଟକ ରଖିଥିବା ଜଣାପଡିଛି । ତେବେ ଗତ ବର୍ଷ ଲକଡାଉନ ସମୟରେ ରାଣୀପାଳ ଗ୍ରାମର ନାବାଳକ ସାଉନା ମୁର୍ମୁ ଅସନା ଗ୍ରାମର ନାବାଳିକାଙ୍କୁ ପ୍ରେମ ବିବାହ କରିଥିଲେ । ସେହି ନାବାଳିକାଙ୍କୁ କିରୋସିନି ଢାଳି ହତ୍ୟା କରିଥିବା ଅଭିଯୋଗ ହୋଇଛି ।





