ନୟାଗଡ଼, (ବାଘୁଆବାର୍ତ୍ତା): ଏମିତି ତ ପୁଲିସମାନେ ଲୋକଙ୍କ ସେବା ପାଇଁ ଚବିଶ ଘଣ୍ଟା ସତର୍କ ଥାନ୍ତି, ହେଲେ କିଛି ପୁଲିସ କର୍ମଚାରୀ ଅଛନ୍ତି, ଯାହାଙ୍କର ଉତ୍ତମ କାର୍ଯ୍ୟ ପାଇଁ ପୂରା ବିଭାଗ ଗର୍ବ ଅନୁଭବ କରିଥାଏ, ଲୋକଙ୍କର ବିଶ୍ୱାସ ବଢ଼ିଯାଏ ପୁଲିସ ପ୍ରତି । ଏବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ତ୍ତମାନ ପୁଣି କରୋନାର ଦ୍ୱିତୀୟ ଲହର ଦେଶରେ ଆରମ୍ଭ ହୋଇଯାଇଛି । ଆଉ ପ୍ରବାସୀ ଶ୍ରମିକମାନେ ଘର ମୁହାଁ ହେଉଛନ୍ତି । କିଛି ଦିନ ପୂର୍ବେ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଦେବା ସହ ଟଙ୍କା ସାହାଯ୍ୟ ଦେଇଥିଲେ ଜଣେ ପୁଲିସ କର୍ମୀ । ସେମାନେ ନିଜ ନିଜ ଘରକୁ କେମିତି ଫେରିବେ ତାର ଟ୍ରାନ୍ସପୋର୍ଟର ବନ୍ଦୋବସ୍ତ କରାଇଥିଲେ । ଏବେ ସେହିପ୍ରବାସୀ ଶ୍ରମିକଙ୍କୁ ଟଙ୍କା ବାଣ୍ଟୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସଞ୍ଜୟ ସାନଭରେ ନାମକ ଏହି ଯବାନ ଏଏନ୍ଆଇକୁ କହିଛନ୍ତି, ସେହି ଦିନ ମୋ ଡ୍ୟୁଟି ଅନ୍ନପୂର୍ଣ୍ଣା ଏରିଆରେ ଥିଲା । ଡ୍ୟୁଟି ପରେ ମୁଁ ଯେତେବେଳେ ଘରକୁ ଫେରୁଥିଲି ମୁଁ ଦଳେ ଗରୀବ ପ୍ରବାସୀ ଶ୍ରମିକଙ୍କୁ ରାସ୍ତାରେ ଭେଟିଲି । କିଛି ମହିଳା ଓ ପିଲାଙ୍କ ସମେତ ପାଖାପାଖି ୩୫ ଜଣ ଲୋକ ଥିଲେ । ତାଙ୍କୁ ଯେତେବେଳେ ପଚାରିଲି, ସେମାନେ ନିଜ ନିଜ ଘରକୁ ଯାଉଥିବାର କହିଲେ । ତାଙ୍କ ପାଖରେ କେବଳ ଖାଇବା ପାଇଁ ୩୫୦ ଟଙ୍କା ଥିଲା । କେବଳ ୩୫୦ ଟଙ୍କାରେ ୩୫ ଜଣ ଲୋକ ଖାଇବେ କିପରି? ସେତେବେଳେ ମୋ ପାଖରେ ୮୦୦ ଟଙ୍କା ଥିଲା । ଆଉ କିଛି ଏଟିଏମରୁ ଉଠାଇଲି, ତାଙ୍କ ପାଇଁ ଘରୁ କିଛି ଖାଦ୍ୟ ପ୍ୟାକ୍ କଲି ଏବଂ ଏହାପରେ ସେମାନଙ୍କର ଘରେ ପହଞ୍ଚିବାର ବନ୍ଦୋବସ୍ତ କରାଇଥିଲି ବୋଲି ଏହି ପୁଲିସ କର୍ମୀ ଜଣଙ୍କ କହିଥିଲେ ।





