ତିରୁବନନ୍ତପୁରମ୍,(ବାଘୁଆବାର୍ତ୍ତା): କେରଳର ଆଲାପୁଜା ମିଡିଆ କଲେଜରେ ଥିବା ଏକ କୋଭିଡ୍ ୱାର୍ଡରେ ଜଣେ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବା କଥା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। କିଛି ଦିନ ତଳେ ବର ଜଣକ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କନ୍ୟା ତାଙ୍କୁ ବିବାହ କରିବା ପାଇଁ ପିପିଇ କିଟ୍ ପିନ୍ଧି କୋଭିଡ୍ ୱାର୍ଡକୁ ପ୍ରବେଶ କରିବା ଘଟଣା ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଜାଣିବାକୁ ମିଳିଛି ଯେ ବର ଜଣକ ବିଦେଶରେ ରହି ଚାକିରି କରନ୍ତି। ସେ ଦେଶକୁ ଫେରି କରୋନା ଟେଷ୍ଟ୍ କରିବାରୁ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେ ଏପଟେ ନିଜ ବିବାହ ପାଇଁ ପ୍ରସ୍ତୁତି କରୁଥିବା ବେଳେ ନିଜର କରୋନା ଟେଷ୍ଟ୍ କରିଥଲେ। ପରେ ତାଙ୍କ ମାଆ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ମାଆ ଓ ପୁଅଙ୍କୁ କେରଳର ଆଲାପୁଜା ମେଡିକାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ଏପ୍ରିଲ୍ ୨୫ ତାରିଖରେ ଶରତ ଓ ଅଭିରାମୀଙ୍କର ବିବାହ ସ୍ଥିର ହୋଇଥିଲା। ଶରତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବି ଉଭୟ ପକ୍ଷର ପରିବାର ଲୋକେ ସେହି ଦିନରେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ଜିଲ୍ଲା କଲେକ୍ଟର ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀଙ୍କଠାରୁ ଆବଶ୍ୟକ ଅନୁମତି ପାଇବା ପରେ କୋଭିଡ ୱାର୍ଡ ଭିତରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। କନ୍ୟା ଏବଂ ସମ୍ପର୍କୀୟମାନେ ପିପିଇ କିଟ୍ ପିନ୍ଧି କୋଭିଡ୍ ୱାର୍ଡ ଭିତରେ ପ୍ରବେଶ କରିଥିଲେ। ବରର ମାଆ ଦମ୍ପତିଙ୍କୁ ଫୁଲମାଳ ଦେଇଥିଲେ।





