ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ କେଉଁଟି ଶଟଡାଉନ ହେଉଛି ତ ଆଉ କେଉଁଟି କର୍ଫ୍ୟୁ ଲାଗୁଛି । ଏହି କ୍ରମରେ କରୋନାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ମହାରାଷ୍ଟ୍ରରେ ଏପ୍ରିଲ ୧୪ରୁ ୧୫ ଦିନିଆ କର୍ଫ୍ୟୁ ଲାଗିଥିବାରୁ କେବଳ ଜରୁରୀ ସାମଗ୍ରୀ ଗୁଡ଼ିକୁ ଛାଡି ଆଉ ସବୁ କିଛି ବନ୍ଦ ରହିଛି । କର୍ଫ୍ୟୁ ପାଇଁ ମଦ ଦୋକାନ ଗୁଡ଼ିକରେ ମଧ୍ୟ ତାଲା ପଡ଼ିଛି । ମଦ ଦୋକାନରେ ତାଲା ପଡ଼ିଥିବାରୁ କିଛି ଲୋକ ହ୍ୟାଣ୍ଡସାନିଟାଇଜର ପିଇ ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ହସ୍ପସଟାଲରେ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରର ଯବତମାଲା ଅନ୍ତର୍ଗତ ୱାନି ତହସିଲରେ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୱାନି ପୁଲିସ ଷ୍ଟେସନର ବୈଭବ ଯାଦବ କହିଛନ୍ତି, କର୍ଫ୍ୟୁ ଯୋଗୁ ମହାରାଷ୍ଟ୍ରରେ ଏବେ ମଦ ଦୋକାନ ବନ୍ଦ । ଏପ୍ରିଲ ୧୪ରୁ ମଦ ଦୋକାନ ବନ୍ଦ ଥିବାରୁ କିଛି ଲୋକ ସାନିଟାଇଜରରେ ଆଲକହଲ ଥିବାରୁ ଏହାକୁ ପିଇ ଦେଇଥିଲେ । ଏଥିପାଇଁ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ହେଲେ ଆମେ ୪ଟି ଶବର ବ୍ୟବଚ୍ଛେଦ କରିପାରିନାହୁଁ । କାରଣ ପରିବାର ଲୋକ ଆମକୁ ନ ଜଣାଇ ଏହାର ସଂସ୍କାର କରିଦେଇଛନ୍ତି । ବାକି ୩ଟି ଶବର ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ସାନିଟାଇଜର ସେବନ ବୋଲି କୁହାଯାଇଛି । ଆମେ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛୁ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।





