ନୟାଗଡ଼, (ବାଘୁଆବାର୍ତ୍ତା): କରୋନାର ଦ୍ୱିତୀୟ ଲହର ଭିତରେ ଆଜି ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏକାଧିକ ରାଜ୍ୟରେ କଟକଣା ଲାଗିଥିବାରୁ ଗରିବ ଲୋକ ପ୍ରଭାବିତ ହେବାରେ ଲାଗିଛନ୍ତି । ଏଥିପାଇଁ ସରକାର ମେ ଓ ଜୁନ୍ ମାସରେ ଦେଶର ସମସ୍ତ ଗରିବ ଲୋକଙ୍କୁ ମାଗଣାରେ ରାସନା ଯୋଗାଇ ଦେବେ । ଏହାଦ୍ୱାରା ପ୍ରାୟ ୮୦ କୋଟି ଲୋକ ଲାଭବାନ ହେବ ବୋଲି ସରକାର କହିଛନ୍ତି । ସରକାରଙ୍କ ଘୋଷଣା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ । ଏଥିପାଇଁ ୨୬ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । କରୋନା ସଂକ୍ରମଣ ବେଳେ ଖାଦ୍ୟାଭାବ ଦୂର କରିବାକୁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ୮୦ କୋଟି ଲୋକ ଏହି ଯୋଜନା ଦ୍ୱାରା ଲାଭବାନ ହେବେ । ସମସ୍ତଙ୍କୁ ମାଗଣା ରାସନ ମିଳିବ । ସେହିପରି ଲୋକମାନେ ପୂର୍ବଭଳି ୫ କେଜି ଚାଉଳ, ଗହମ ଓ ଡାଲି ଯଥାକ୍ରମେ ୩,୨ ଓ ୧ ଟଙ୍କାରେ ଅତିରିକ୍ତ ଭାବେ ମଧ୍ୟ କିଣିପାରିବେ । ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ବେଳେ ସରକାର ଲୋକଙ୍କୁ ମାଗଣାରେ ରାସନ ଯୋଗାଇବାକୁ ଆରମ୍ଭ କରିଥିଲେ । ସରକାର ଏହାକୁ ଗ୍ରହଣ କରି ମାଗଣା ରାସନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ।





