ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ଭୟରେ ମା’ ମୁହଁରେ ନିଆଁ ଦେବାକୁ ମନା କଲା ବଡ଼ ପୁଅ । ଯେଉଁ ମା’ ଦଶ ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ଶେଷରେ ସେହି ମା’ ମୁହଁକୁ ଅନାଇଲା ନାହିଁ । ସାରା ଜୀବନ ଅଳି ଅଝଟ ସହି କୋଳେଇ କାଖେଇ ବଡ଼ କରିଥିବା ମା’କୁ ଶେଷ ସମୟରେ ଛୁଇଁଲା ନାହିଁ ପୁଅ । ଏପରିକି ମା’ ଆଖି ବୁଜିବା ପରେ ବି କାନ୍ଧ ଦେବାକୁ ବି ମନା କରିଦେଲା । କରୋନା ସନ୍ଦେହରେ ମା’କୁ ହତାଦାର କରିଥିବା ପୁଅ ମନରେ କିନ୍ତୁ ଏଥିପାଇଁ ଟିକେ ବି ଅବଶୋଶ ନାହିଁ । ବଡ଼ ପୁଅ ବଞ୍ôଚ ଥାଉ ଥାଉ ମା’ ମୁହଁରେ ନିଆଁ ଦେବାକୁ ମନା କରିବାରୁ ସାନ ପୁଅ କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ମା’ର ଶେଷକୃତ ସମ୍ପନ୍ନ କରିଛି । ଏପରି ଅମାନବୀୟ, ହୃଦୟ ବିଦାରକ ଘଟଣା ସମ୍ବଲପୁର ଚିପିଲିମାରେ ଘଟିଛି । ସମ୍ବଲପୁର ଚିପିଲିମା ଅଞ୍ଚଳରେ ଜଣେ ମହିଳା କିଛି ଦିନ ହେଲା ଜ୍ୱରରେ ଆକ୍ରାନ୍ତ ଥିଲେ । ଏହାପରେ ସେ ଆଖି ବୁଜିଲେ । ହେଲେ ମୃତ୍ୟୁ ପରେ ମୁହଁ ମୋଡ଼ି ଦେଲା ବଡ଼ପୁଅ । ମହିଳାଙ୍କ ମୃତଦେହକୁ ଛୁଇଁଲାନି ତାଙ୍କ ବଡ଼ ପୁଅ । ସଂକ୍ରମଣ ଆଶଙ୍କାରେ ମା’ଠୁ ଦୂରେଇ ଗଲା ପୁଅ । ନିଜ ପୁଅ ଦୂରେଇ ଯିବାରୁ ସାହିପଡ଼ିଶା ବି ଅନାଇଲେ ନାହିଁ । ଫଳରେ ମୃତ ଦେହ ଉଠାଇବାକୁ ଚାରି କାନ୍ଧ ମିଳିଲା ନାହିଁ । ଶେଷରେ ମରିବା ପରେ ମା’ର ମୃତଦେହ ହତାଦାର ହେଉଥିବା ଦେଖି ସହିପାରିଲାନି ସାନ ପୁଅ । ଏହାପରେ କିଛି ସ୍ୱେଚ୍ଛାସେବୀଙ୍କ ଏକ ଟ୍ରଲିରେ ମୃତଦେହକୁ ଶ୍ମଶାନ ନେବାକୁ ପଡ଼ିଲା । ସେଠାରେ ମା’ଙ୍କ ଶବକୁ ଅନ୍ତିମ ସତ୍କାର କରିଛି ସାନ ପୁଅ ।





