ନୂଆଦିଲ୍ଲୀ ,(ବାଘୁଆବାର୍ତ୍ତା): କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଅକ୍ସିଜେନ୍ ଏବଂ ଔଷଧ ଅଭାବକୁ ନେଇ ଦେଶରେ ଯେଉଁ ଦୟନୀୟ ସ୍ଥିତି ଉପୁଜିଛି ସେଥିରେ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। କରୋନା ସଙ୍କଟ ଏବଂ ଏହାର ପ୍ରତିକାର ନେଇ ୬ଟି ହାଇକୋର୍ଟ ବିଭିନ୍ନ ପିଟିସନ୍ର ଶୁଣାଣି କରୁଥିବା ବେଳେ ଆଜି ସୁପ୍ରିମକୋର୍ଟ ନିଜ ଆଡୁ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ଏହାକୁ ଜାତୀୟ ଏମର୍ଜେନସି ବା ଜରୁରୀ ପରିସ୍ଥିତି ଭଳି ସ୍ଥିତି ବର୍ଣ୍ଣନା କରିଛନ୍ତି। ମାମଲାର ଶୁଣାଣି କରି କୋର୍ଟ ୪ଟି ପ୍ରସଙ୍ଗରେ କେନ୍ଦ୍ରକୁ ନୋଟିସ୍ କରିଛନ୍ତି। ଅକ୍ସିଜେନ୍ ଯୋଗାଣ, ଆବଶ୍ୟକ ଔଷଧର ଯୋଗାଣ, ଟିକାକରଣର ମେଥଡ୍ ଏବଂ ଲକ୍ଡାଉନ୍ ଘୋଷଣା କରିବା ସଂକ୍ରାନ୍ତ କ୍ଷମତା ପ୍ରସଙ୍ଗରେ କେନ୍ଦ୍ରକୁ ନୋଟିସ୍ କରିଛନ୍ତି। ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି ଏହି ମାମଲା ଶୁଣାଣି କରି କେନ୍ଦ୍ରକୁ ଉକ୍ତ ପ୍ରସଙ୍ଗରେ ଜାତୀୟ ନୀତି ପ୍ରସ୍ତୁତ କରିବାକୁ କହିଛନ୍ତି। ଦେଶବ୍ୟାପୀ ଟିକାକରଣ ଯୋଜନା ସମେତ କୋଭିଡ୍ ପ୍ରସ୍ତୁତି ନେଇ ଏକ ବିସ୍ତୃତ ଯୋଜନା ଦାଖଲ କରିବାକୁ କୋର୍ଟ କହିଛନ୍ତି। ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ହେବ। କୋର୍ଟ ତାମିଲନାଡ଼ୁରେ ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନ ନେଇ ବେଦାନ୍ତ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରି କହିଛନ୍ତି, ଦେଶରେ ଜାତୀୟ ଏମର୍ଜେନ୍ସି ଭଳି ସ୍ଥିତି ଲାଗି ରହିଥିବା ବେଳେ ତାମିଲନାଡ଼ୁ ସରକାର ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନକୁ ବିରୋଧ କରିବା ଆଶ୍ଚର୍ଯ୍ୟଜନକ। ଖଣ୍ଡପୀଠ କହିଛନ୍ତି ଯେ ଏବେ ଦିଲ୍ଲୀ, ବମ୍ବେ, ସିକ୍କିମ, ଓଡ଼ିଶା, କୋଲକାତା ଏବଂ ଆହ୍ଲାବାଦ୍ ହାଇକୋର୍ଟ କୋଭିଡ୍ ପ୍ରସ୍ତୁତି ସଂକ୍ରାନ୍ତ ବିଭିନ୍ନ ଆବେଦନର ଶୁଣାଣି କରୁଛନ୍ତି। ତେବେ ଏହା ଦ୍ବନ୍ଦ୍ବ ସୃଷ୍ଟି କରୁଛି । ଲକ୍ଡାଉନ୍ କରିବାର ଅଧିକାର କେବଳ ରାଜ୍ୟମାନଙ୍କ ନିକଟରେ ସୁରକ୍ଷିତ ରହିବା ଦରକାର। କୋର୍ଟ ଏଥିରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ବୋଲି ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି।





