ଭୁବନେଶ୍ୱର, (ବାଘୁଆବାର୍ତ୍ତା): କରୋନା ସଂକ୍ରମଣ ଭିତରେ ଲୋକଙ୍କୁ ସହଯୋଗ କରୁଥିବା ଅନେକ ବ୍ୟକ୍ତି ବିଶେଷଙ୍କ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଦିଲ୍ଲୀ ପୁଲିସରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ବଦାନ୍ୟତା ସମ୍ପର୍କରେ ତଥ୍ୟ ମିଳିଛି । କରୋନାରେ ଆକ୍ରାନ୍ତ ହୋଇ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ ହେଁ ସଂକ୍ରମଣ ଭୟରେ ତାଙ୍କ ଶବକୁ ପରିବାର ଲୋକ ଛୁଇଁ ନଥିଲେ । ତେବେ ଦିଲ୍ଲୀ ପୁଲିସର ଏଏସଆଇ ସୁଶୀଲ ନିଜେ ଶବକୁ ଆମ୍ବୁଲାନ୍ସରେ ନେଇ ଶ୍ମଶାନରେ ଅନ୍ତିମ ସଂସ୍କାର କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏଏସଆଇ ସୁଶୀଲଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି । ସୂଚନାନୁସାରେ, ଉତ୍ତର-ପୂର୍ବ ଦିଲ୍ଲୀର ଗୋକୁଳପୁରୀରେ ରହୁଥିବା ୩୫ ବର୍ଷୀୟ ସୋନୁ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ କରୋନାରେ ପ୍ରାଣ ହରାଇଥିବାରୁ ତାଙ୍କ ପରିବାର ଲୋକ ଶବକୁ ଛୁଇଁ ନଥିଲେ କିମ୍ବା ସତ୍କାର କରିବାକୁ ଆଗେଇ ଆସି ନଥିଲେ । ଏ ସମ୍ପର୍କରେ ଏଏସଆଇ ସୁଶୀଲ ଜାଣିବା ପରେ ସହଯୋଗ କରିବାକୁ ଆଗେଇ ଆସିଥିଲେ । ସେ ପ୍ରଥମେ ପରିବାର ଲୋକଙ୍କୁ ଭେଟି ଶବ ସତ୍କାର କରିବାର ଅନୁମତି ମାଗିଥିଲେ । ଅନୁମତି ମିଳିବା ପରେ ସେ ଗୋଟିଏ ଆମ୍ବୁଲାନ୍ସ ଭଡ଼ା କରି ସୋନୁଙ୍କ ଶବକୁ ବ୍ୟବଛେଦ ପାଇଁ ହସ୍ପିଟାଲକୁ ନେଇଥିଲେ । ବ୍ୟବଛେଦ ପରେ ସେ ଅଶୋକ ନଗର ଶ୍ମଶାନରେ ସୋନୁଙ୍କ ଶବସତ୍କାର କରିଥିଲେ ।





