୪ ବ୍ଲକର ସମୀକ୍ଷା କଲେ ଜିଲ୍ଲାପାଳ
ନୟାଗଡ଼,(ବାଘୁଆବାର୍ତ୍ତା) : କରୋନା ପାଇଁ କଟକଣା କଡ଼ାକଡ଼ି କରିବାକୁ ଆଜି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆଜି ଜୁମ ଜରିଆରେ କରୋନା ମୁକାବିଲା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି । ନୟାଗଡ଼ ଜିଲ୍ଲାର ୪ ବ୍ଲକ ନୟାଗଡ଼, ନୂଆଗାଁ, ଓଡ଼ଗାଁ ଓ ରଣପୁରର ଅଧିକାରୀଙ୍କୁ ନେଇ ସମୀକ୍ଷା କରାଯାଇଛି । ଆଗାମୀ ଦିନରେ ଜିଲ୍ଲାକୁ ଫେରିବାକୁ ଥିବା ପ୍ରବାସୀଙ୍କ ସଂମ୍ପର୍କରେ ଆଲୋଚନା କରାଯାଇଛି । ସେମାନଙ୍କ ରହିବା ପାଇଁ ବ୍ୟବସ୍ଥା କରିବା ଏବଂ ଟିଏମ୍ସିକୁ କାର୍ଯ୍ୟକ୍ଷମ କରିବା ଆଦି ସଂମ୍ପର୍କରେ ଆଲୋଚନା ହୋଇଛି । କିଭଳି ସେମାନଙ୍କର କରୋନା ପରୀକ୍ଷା କରାଯିବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନ କରାଯାଇଛି । ଜିଲ୍ଲାରେ କରୋନା ଦ୍ରୁତ ସଂକ୍ରମଣ ହେଉଥିବାରୁ ଏହି ସ୍ଥିତିକୁ ମୁକାବିଲା କରିବା ପାଇଁ ବ୍ଲକ ବିଡିଓ ଓ ତହସିଲଦାରଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସାମାଜିକ ଦୂରତା ଅବଲମ୍ବନ ଏବଂ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି । ଏଥିସହିତ ଜନଗହଳୀ ଏଡ଼ାଇବା ପାଇଁ କଟକଣାକୁ କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ର, ନୟାଗଡ଼ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ନୂଆଗାଁ, ରଣପୁର, ଓଡ଼ଗାଁ, ନୟାଗଡ଼ ବିଡିଓ ଏବଂ ତହସିଲଦାର ଯୋଗ ଦେଇଥିବା ସୂଚନା ମିଳିଛି ।






