ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହାମାରୀ କରୋନା କ୍ଷଣ କ୍ଷଣରେ ରୂପ ବଦଳାଉଛି । କେତେବେଳେ କାହାକୁ ଶିକାର କରୁଛି କେହି ଜାଣିପାରୁ ନାହାନ୍ତି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚିନ୍ତାରେ ପଡ଼ିଗଲେଣି । ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବିଶେଷଜ୍ଞ ଦେଉଛନ୍ତି ପରାମର୍ଶ । ଏହାର ଭିତରେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଜୟପୁର ସହର ତଳି ଅଞ୍ଚଳରୁ ଆସିଛି ଅନ୍ଧବିଶ୍ୱାସର କରୁଣ ଚିତ୍ରା କରୋନା ଗାଁକୁ ନଆସିବା ପାଇଁ ହୁଣ୍ଡି ମାଆଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା । ମହାମାରୀ କରୋନାର ମାୟା ଜାଲରୁ ବର୍ତ୍ତିବା ପାଇଁ ଜୟପୁର ସହରର ପାରବେଡା ବସ୍ତିର ଲୋକମାନେ ହୁଣ୍ଡି ମାଆଙ୍କୁ ପୂଜା କରୁଛନ୍ତି । ବିଶ୍ୱାସ ରହିଛି, ମାଆଙ୍କୁ ପୂଜା କଲେ ଗାଁରେ କାହାରିକୁ କରୋନା ହେବନାହିଁ । ମନସ୍କାମନା ପୂରଣ ହେବା ପରେ ମାଆଙ୍କ ନିକଟରେ ପୂଜାର୍ଚ୍ଚନା ସହ ମେଣ୍ଢା ଓ କୁକୁଡ଼ା ବଳି ଦିଆଯାଉଛି । ବଳି ପରେ ଗାଁରେ ଭୋଜି ଆୟାଜନ କରାଯାଇଥିଲା । ଗାଁ ଲୋକ ମିଳିମିଶି ଖାଇଥିଲେ । ସ୍ଥାନୀୟ ଜରେ ମହିଳା କହିଛନ୍ତି “ କରୋନା ନହେବା ପାଇଁ ଗତବର୍ଷ ମାନସିକ କରିଥିଲୁ । ଏବର୍ଷ ପୂଜା କରି ମାଆଙ୍କ ନିକଟରେ ବୋଦା ବଳି ଦେଲୁ । ସେହିପରି ଏବର୍ଷ ଯେପରି ଆମକୁ କରୋନ ନହେବା, ସେଥିପାଇଁ ମାନସିକ ରଖିଛୁ ।”





