ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭାରତୀୟ ପ୍ରେସ୍ କାଉନସିଲ ସଦସ୍ୟ ଭାବେ ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ମନୋନୀତ ହୋଇଛନ୍ତି । ପ୍ରେସ୍ କାଉନସିଲ ସଦସ୍ୟ ଭାବେ ୨ ଜଣ ରାଜ୍ୟସଭା ସାଂସଦ ଓ ୩ ଜଣ ଲୋକସଭା ସାଂସଦଙ୍କୁ ମନୋନୀତ କରାଯିବାର ପ୍ରାବଧାନ ରହିଛି । ରାଜ୍ୟସଭା ପକ୍ଷରୁ ଜାରି ସୂଚନା ଅନୁସାରେ, ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟାନାଇଡୁ ପ୍ରେସ୍ କାଉନସିଲ ଅଫ ଇଣ୍ଡିଆକୁ ଦୁଇଜଣ ସାଂସଦଙ୍କୁ ସଦସ୍ୟ ଭାବେ ମନୋନୀତ କରିଛନ୍ତି । ଶ୍ରୀ ବୈଷ୍ଣବଙ୍କ ବ୍ୟତୀତ ରାଜ୍ୟସଭା ସାଂସଦ କେ.କେଶବରାଓ ମଧ୍ୟ କାଉନସିଲ୍ ସଦସ୍ୟ ହେବେ । ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଶ୍ରୀ ବୈଷ୍ଣବ ୨୦୧୯ ମସିହାରେ ଓଡ଼ିଶାରୁ ବିଜେପି ଟିକେଟରେ ନିଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଶ୍ରୀ ବୈଷ୍ଣବ ମଧ୍ୟ କାର୍ଯ୍ୟ କରିଥିଲେ ।





