ଭୁବନେଶ୍ୱର, (ବାଘୁଆବାର୍ତ୍ତା): କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଜଣେ କରୋନା ଯୋଦ୍ଧା ବା ଡାକ୍ତର ଆଜି ଆକ୍ରମଣର ଶିକାର ହୋଇଛନ୍ତି । ମହାରାଷ୍ଟ୍ରର ନାନ୍ଦେଦରେ ଥିବା ଗୋଟିଏ ସରକାରୀ ହସ୍ପିଟାଲ ଭିତରେ ଜଣେ କରୋନା ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି । ଡାକ୍ତରଙ୍କ ଜଣଙ୍କ କରୋନା ରୋଗୀଙ୍କ ସମ୍ପର୍କୀୟ କରୁଥିବା ଝଗଡ଼ାର ସମାଧାନା କରିବାକୁ ଯାଇ ଏଭଳି ଆକ୍ରମଣର ଶିକାର ହୋଇଛନ୍ତି । ନାନ୍ଦେଦରେ ଥିବା ସରକାରୀ ହସ୍ପିଟାଲର କୋଭିଡ ୱାର୍ଡରେ ଅଭିଯୁକ୍ତଙ୍କ ଜଣେ ସମ୍ପର୍କୀୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତ ଭାହୁସାହେବ ଗାଏକ୍ୱାଡ ନିଜ ସମ୍ପର୍କୀୟଙ୍କୁ ଭେଟିବାକୁ ୱାର୍ଡକୁ ଯାଇଥିବା ବେଳେ ଡାକ୍ତରଙ୍କ ସହ କୌଣସି କାରଣରୁ ପାଟିତୁଣ୍ଡ କରିଥିଲେ । ଭାହୁସାହେବ କରୋନା ୱାର୍ଡ ଭିତରେ ଜୋରରେ ପାଟିତୁଣ୍ଡ କରିବାରୁ ଏହାକୁ ଅନ୍ୟ ରୋଗୀଙ୍କ ସମ୍ପର୍କୀୟମାନେ ବିରୋଧ କରିଥିଲେ । ଏଥିରେ ରାଗି ଯାଇ ଭାହୁ ସାହେବ ସେମାନଙ୍କ ସହ ମଧ୍ୟ ଯୁକ୍ତିତର୍କ କରିଥିଲେ । ବିବାଦ ବଢ଼ୁଥିବାରୁ ଡାକ୍ତର ଜଣଙ୍କ ଏହାର ସମାଧାନ କରିବାକୁ ଚାହିଁଥିଲେ । ଏତିକି ବେଳେ ଅଭିଯୁକ୍ତଙ୍କ ଜଣଙ୍କ ନିଜ ପାଖରେ ରଖିଥିବା ଛୁରୀରେ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୁଖେଡ ପୁଲିସ ଷ୍ଟେସନରେ ଭାହୁସାହେବଙ୍କ ନାଁରେ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି ।





