ଭୁବନେଶ୍ୱର, (ବାଘୁଆବାର୍ତ୍ତା): କରୋନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ମହାମାରୀ କରୋନା ଉଗ୍ରରୂପ ଧାରଣ କରୁଥିବାରୁ ଦେଶର ବିଭିନ୍ନ ସହରରେ ଲକ୍ଡାଉନ୍, ଶଟ୍ଡାଉନ୍ ଓ ୧୪୪ ଧାରା ଜାରି କରାଯାଇଛି । ଏପରି ସ୍ଥିତିରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିପାରନ୍ତି । ସେଥିପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ ହେଲାଣି । ପ୍ରବାସୀ ଫେରିପାରନ୍ତି । ଡାଟାବେସ୍ ସହ ପୂର୍ବ ପ୍ରୋଟୋକଲ୍ ଲାଗୁ କରାଇ ଫେରନ୍ତା ସମସ୍ତ ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ୍ ଓ ଟେଷ୍ଟିଂ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଅକ୍ସିଜେନ ବ୍ୟବସ୍ଥା ଥାଇ କୋଭିଡ୍ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ୬ ସୂତ୍ରୀ ଫର୍ମୁଲା ଘୋଷଣା କରି କହିଛନ୍ତି, ଯଦିଓ ଏବେ ଅକ୍ସିଜେନ କି ଶଯ୍ୟାର ଅଭାବ ଦେଖା ଦେଇନାହିଁ, ତେବେ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ମୂଲ୍ୟବାନ ଜୀବନ ରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅଧିକାଂଶ ବେଡ ପାଇଁ ଅକ୍ସିଜେନ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଔଷଧର କୌଣସି ଅଭାବ ନଥିଲେ ମଧ୍ୟ ଆଗାମୀ ଦିନରେ ଆବଶ୍ୟକତା ବୃଦ୍ଧି ପାଇବ । ଏଥିପ୍ରତି ମଧ୍ୟ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ କରୋନାର ପୁଣି କରାଳ ରୂପ ଧାରଣ କରିଛି । ଏପ୍ରିଲ୍ ପହିଲାରେ ଚିହ୍ନଟ ହୋଇଥିଲେ ୩୯୪ କରୋନା ଆକ୍ରାନ୍ତ । ଆଜି ରାଜ୍ୟରେ ୪୭୬୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୦ ଦିନରେ ଦୈନିକ ସଂକ୍ରମଣ ପ୍ରାୟ ୧୨ ଗୁଣା ବଢ଼ିଛି । ରେଡ୍ଜୋନ୍ରେ ରାଜ୍ୟର ୧୦ ଜିଲ୍ଲା ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ ଓ ପୁରୀ ସମେତ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲା ରହିଛି । ଖାଲି ସେତିକି ନୁହେଁ, କେବଳ ଏପ୍ରିଲ୍ରେ କରୋନା ନେଲାଣି ୩୨ ଜୀବନ ।





