ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପାରାଦୀପ, କୁଜଙ୍ଗ, ଏରସମା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଲାଗି ରହିଛି । ଘଡ଼ଘଡ଼ି ସହ ଭୀଷଣ ଧୂଳିଝଡ ଓ ବର୍ଷା ହୋଇଥିଲା । ଫଳରେ ଅନେକ ସ୍ଥାନରେ ଗଛ ପଡ଼ିବା ସାଙ୍ଗକୁ ଚାଳଛପର ଘର କ୍ଷତିଗ୍ରସ୍ତ ହେବା ସହ କୋଠା ଘର ମଧ୍ୟ ଭାଙ୍ଗିଯାଇଛି । ବିଜୁଳି ଖୁଣ୍ଣ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । କୁଜଙ୍ଗ, ଗଣ୍ଡକିପୁର, ଫତେପୁର, ରଙ୍ଗିଆଗଡ଼, ନୂଆଗାଁ, ଢିଙ୍କିଆ, ତ୍ରିଲୋଚନପୁର, ଗୋବିନ୍ଦପୁର ଆଦି ଅଞ୍ଚଳରେ ବ୍ୟାପକ ଭାବେ କାଳବୈଶାଖୀର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି । ଏନେଇ ଲୋକମାନେ ପ୍ରଶାସନ ନିକଟରେ ସହାୟତା ଦାବି କରିଛନ୍ତି । ପୁଣି ପାନବରଜ ଭାଙ୍ଗି ଯିବାରୁ ବିଭିନ୍ନ ଅଞ୍ଚଳର ପାନଚାଷୀ ବି କ୍ଷତିଗ୍ରସ୍ତ ହୋଇଛନ୍ତି । ଗତକାଲି ରାତି ସାରା ସମଗ୍ର ଅଞ୍ଚଳ ଅନ୍ଧାରରେ ବୁଡି ରହିଥିବାବେଳେ ଆଜିବି ଦିନ ତମାମ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ସେପଟେ କ୍ଷତିଗ୍ରସ୍ତଙ୍କ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଦେବାକୁ ଆରଆଇ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆବଶ୍ୟକ ପଦକ୍ଷେପ ନେଇ ତୁରନ୍ତ ବିଦ୍ୟୁତ ସଂଯୋଗ କରିବାକୁ ବିଭାଗକୁ ଜଣାଯାଇଥିବା କହିଛନ୍ତି କୁଜଙ୍ଗ ଅତିରିକ୍ତ ତହସିଲଦାର ।





