ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମାତ୍ର ୧୦ ଦିନ ପରେ ହୋଇଥାନ୍ତା ବାହାଘର । ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ବିବାହର ୧୦ ଦିନ ପୂର୍ବରୁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ନିଜ ମନର ମଣିଷ ସହ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ଯୁବତୀ । ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକସ୍ଥିତ ମୁର୍ତ୍ତୁମା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପରିବାର ଲୋକଙ୍କ ପସନ୍ଦକୁ ପଛ କରି ସେ ଭଲ ପାଉଥିବା ମନର ମଣିଷ ସହିତ କରିଛନ୍ତି ଆତ୍ମହତ୍ୟା । ପ୍ରେମୀ ଯୁଗଳ କୀଟନାଶକ ପିଇ ପରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଯେଉଁ ଗଛରେ ସେ ଦୁହେଁ ଓଢ଼ଣୀ ଲଗାଇ ଝୁଲିଥିଲେ ସେହି ଗଛମୂଳରୁ କିଛି କେକ୍, ୩ଟି କୀଟନାଶକ ବୋତଲ, ଯୁବତୀଙ୍କ ଚପଲ ସହ ଏକ ସାଇକେଲ ପଡିଥିବା ଦେଖିବାକୁ ମିଳିଛି । ମୃତ ଯୁବତୀଙ୍କ ନାଁ ସସ୍ମିତା ମାଝୀ । ଯୁବତୀଙ୍କ ବାହାଘର ଉମରକୋଟ ବ୍ଲକ୍ ସୁକିଗାଁ ପଞ୍ଚାୟତର ଡାବିଡି ଗୁଡ଼ା ଗ୍ରାମରେ ସ୍ଥିର ହୋଇଥିଲା । ଏହି ଘଟଣାକୁ ନେଇ ଜିଲ୍ଲାରେ ବିଭିନ୍ନ ଆଲୋଚନା ହେବାକୁ ମିଳିଛି ।





