ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ଗ୍ରୀଡ଼୍କୋ ସମ୍ମିଳନୀ କକ୍ଷରେ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର
ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା । ଶ୍ରୀ କ୍ୟାପ୍ଟେନ୍ ମିଶ୍ର ଶକ୍ତି ବିଭାଗରେ ୫-‘ଟି’ ଓ ‘ମୋ ସରକାର’ ପ୍ରୟାସର କାର୍ଯ୍ୟାନ୍ୱୟନ, ବିଦୁ୍ୟତ ଭିତ୍ତିଭୂମିର ବିକାଶ ଓ ଗ୍ରାମ୍ୟ ବିଦୁ୍ୟତିକରଣ ଯୋଜନାଗୁଡ଼ିକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ଦୂରଦୂରାନ୍ତ ତଥା ଉପାନ୍ତ ଅଞ୍ଚଳର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ପାଖରେ ଗୁଣାତ୍ମକ ବିଦୁ୍ୟତ ସେବା ଉପଲବ୍ଧ କରାଇବା ବିଭାଗର ସମସ୍ତ କର୍ମଚାରୀଙ୍କ ଉତ୍ତରଦାୟିତ୍ୱ ଓ ସରକାର ତାଙ୍କର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ଏହି ପ୍ରତିଶ୍ରୁତି ପରିପାଳନ ପାଇଁ ବଦ୍ଧପରିକର ବୋଲି ସେ କହିଥିଲେ । ପ୍ରାରମ୍ଭରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ତଥା ଗ୍ରୀଡ଼୍କୋ-ଓପିଟିସିଏଲ୍ର ଅଧ୍ୟକ୍ଷ ଶ୍ରୀ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ବିଦୁ୍ୟତିକରଣ ଯୋଜନାର ଅଗ୍ରଗତି ଓ ଶକ୍ତି ବିଭାଗରେ ରାଜ୍ୟ ସରକାରଙ୍କର୫-‘ଟି’ ଓ ‘ମୋ ସରକାର’ ପ୍ରୟାସର କାର୍ଯ୍ୟକାରିତା ଓ ଭବିଷ୍ୟତ ଯୋଜନାର ରୂପରେଖ ସଂପର୍କରେ ସୂଚନା ଦେଇଥିଲେ । ବୈଠକରେ ଗ୍ରୀଡ୍କୋ ଏବଂ ଓପିଟିସିଏଲ୍ର ପରିଚାଳନା ନିର୍ଦ୍ଦେଶକ, ଚାରୋଟି ପରିବଣ୍ଟନ କମ୍ପାନୀର ମୁଖ୍ୟ ନିର୍ବାହୀ ଅଧିକାରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଯୋଗଦେଇ ଭବିଷ୍ୟତ କାର୍ଯ୍ୟ ପରିକଳ୍ପନା ସମ୍ବଳିତ ବିଭିନ୍ନ ପ୍ରସ୍ତାବନାଗୁଡ଼ିକ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ରଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରିଥିଲେ ।





