ନୟାଗଡ଼, (ବାଘୁଆବାର୍ତ୍ତା): କରୋନାର ଦ୍ୱିତୀୟ ଲହରୀ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଲଗାଇବା ସହ ଲକଡାଉନ୍ ଓ ସଟଡାଉନ୍ ଘୋଷଣା କରିଛନ୍ତି । କରୋନାକୁ ରୋକିବାକୁ ନେଇ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ନାଇଟ୍ କର୍ଫ୍ୟୁ ଓ ୧୪୪ ଜାରି କରିଛନ୍ତି । ଏହି ନାଇଟ୍ କର୍ଫ୍ୟୁ ରାତି ୯.୦୦ ଘଟିକାରୁ ସକାଳ ୫.୦୦ ଘଟିକା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟରେ କେଉଁମାନେ ଯାତାୟତ କରିପାରିବେ ଏବଂ କେଉଁମାନେ ଯାତାୟତ କରି ପାରିବେ ନାହିଁ ନାହିଁ ସେଥିପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ସୂଚନାନୁସାରେ, ଜିଲ୍ଲାର ନୟାଗଡ଼ ମୁନିସ୍ପାଲ୍ଟି ଏବଂ ଓଡ଼ଗାଁ, ଖଣ୍ଡପଡା, ଦଶପଲ୍ଲା ଓ ରଣପୁର ବିଜ୍ଞପିତ ଅଞ୍ଚଳ ଜନସାଧାରଣଙ୍କ ଉପରେ ନିୟମକୁ କଡ଼ାକଡ଼ି କରାଯାଇଛି । କୋଭିଡ୍ ସହିତ ଅନ୍ତର୍ଭୁକ୍ତ ଥିବା ଜିଲ୍ଲା ପ୍ରଶାସନିକ ଅଧିକାରୀ, ମୁନିସ୍ପାଲ୍ଟି ଓ ବିଜ୍ଞାପିତ ଅଞ୍ଚଳର କର୍ମଚାରୀ ଏବଂ ପୁଲିସ୍ କର୍ମଚାରୀମାନଙ୍କ ପାଇଁ କଟକଣା ମୁକ୍ତ କରାଯାଇଛି । ଜରୁରୀ କାଳୀନ ସେବା ଯଥା ବିଦ୍ୟୁତ୍, ଟେଲିଫୋନ୍, ପାନୀୟ ଜଳ ଓ ପରିମଳ କର୍ମଚାରୀ ମାନେ କାର୍ଯ୍ୟ କରିପାରିବେ । ମେଡିକାଲ୍ କର୍ମଚାରୀ, କଳକାରଖାନା କର୍ମଚାରୀ, ନିର୍ମାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କ ପାଇଁ ଯାତାୟତ ରହିବ । ସେହିପରି ଭାବେ ଟ୍ରେନ୍ ଓ ବିମାନରୁ ଆସୁଥିବା ଜନସାଧାରଣ, ପେଟ୍ରୋଲ୍ ପମ୍ପ ଓ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଥିବା ଢାବା ଗୁଡ଼ିକ ଖୋଲା ରହିବ । ମୁଖ୍ୟତଃ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥି ସହିତ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯାତାୟତ କରିପାରିବେ ବୋଲି ଜଣାଯାଇଛି । ଏହି ନିୟମକୁ ଅବମାନନା କରି ଅନ୍ୟାନ୍ୟ ଯେଉଁ ବ୍ୟକ୍ତି ଯାତାୟତ କରିବେ ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ ହେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।





