ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାମ ମନ୍ଦିର ନିର୍ମାଣ କାର୍ଯ୍ୟପାଇଁ ଆସିଥିବା ଭକ୍ତଙ୍କ ଟଙ୍କା କୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଚେକ୍ ଆକାରରେ ଆଦାୟ ହୋଇଥିବା ଦାନ ପାଣିରେ ପଡିଛି । ଭକ୍ତମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୧୫ ହଜାରରୁ ଅଧିକ ଚେକ୍ ବାଉନ୍ସ ହୋଇଛି । ଏସବୁ ଚେକ୍ର ମୋଟ ମୂଲ୍ୟ ୨୨ କୋଟି ଟଙ୍କାରୁ ଅଧିକ ହେବ । ରାମ ମନ୍ଦିର ନିର୍ମାଣ ଦାୟିତ୍ୱ ନେଇଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଡିଟ୍ ରିପୋର୍ଟରୁ ଭକ୍ତମାନଙ୍କର ଏଭଳି ଠକେଇ ବାବଦରେ ଜଣାପଡିଛି । ଆକାଉଣ୍ଟ୍ରେ ଟଙ୍କା ନଥିବା କାରଣରୁ ଚେକ୍ ସବୁ ବାଉନ୍ସ ହୋଇଛି । କେତେକ କ୍ଷେତ୍ରରେ ଅନ୍ୟାନ୍ୟ ବୈଷୟିକ ତ୍ରୁଟି କାରଣରୁ ମଧ୍ୟ ଚେକ୍ ବାଉନ୍ସ ହୋଇଛି । ଫଳରେ ଟ୍ରଷ୍ଟ ୨୨ କୋଟି ଟଙ୍କା ହରାଇଛି । ଟ୍ରଷ୍ଟୀ ସଦସ୍ୟ ଅନୀଲ ମିଶ୍ର ଏ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଯେଉଁ ଭକ୍ତମାନଙ୍କର ଚେକ୍ ବାଉନ୍ସ ହୋଇଛି ଆମେ ସେମାନଙ୍କୁ ପୁରି ଥରେ ଦାନ ଦେବା ଲାଗି କହୁଛୁ । ୧୫ ହଜାର ଚେକ୍ ମଧ୍ୟରୁ ପ୍ରାୟ ୨ ହଜାର ଚେକ୍ ଅଯୋଧ୍ୟାରୁ ଆଦାୟ ହୋଇଥିଲା । ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଚଳିତ ବର୍ଷ ଜାନୁଆରୀ ୧୫ରୁ ଫେବ୍ରୁଆରୀ ୧୭ ପର୍ଯ୍ୟନ୍ତ ଦେଶବ୍ୟାପୀ ଦାନ ସଂଗ୍ରହ ଅଭିଯାନ କରାଯାଇଥିଲା ।





