ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗୁଜୁରାଟ ଏଟିଏସ୍ ଓ ଭାରତୀୟ କୋଷ୍ଟ ଗାର୍ଡର ଏକ ମିଳିତ ଦଳ କଚ୍ ଜିଲ୍ଲା ଜଖଉ ବନ୍ଦର ନିକଟରେ ସମୁଦ୍ର ଭିତରୁ ଗୋଟିଏ ଡଙ୍ଗାକୁ ଧରିଥିଲେ । ଆରବ ସାଗରର ଗୁଜୁରାଟ ଉପକୂଳକୁ ଆସୁଥିବା ଏକ ଡଙ୍ଗାରୁ ୧୫୦ କୋଟି ଟଙ୍କାର ହେରୋଇନ୍ ଜବତ ହୋଇଥିବା ବେଳେ ଏଥିରେ ଯାତ୍ରା କରୁଥିବା ୮ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍(ଏଟିଏସ୍) । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଗୁଜରାଟ ଏଟିଏସ୍ ଓ ଭାରତୀୟ କୋଷ୍ଟ ଗାର୍ଡର ଏକ ମିଳିତ ଦଳ କଚ୍ ଜିଲ୍ଲା ଜଖଉ ବନ୍ଦର ନିକଟରେ ସମୁଦ୍ର ଭିତରୁ ଏହି ଡଙ୍ଗାକୁ ଧରିଥିଲେ । ହେରୋଇନ୍ ଭର୍ତ୍ତି ଡଙ୍ଗା ଯେଉଁଠାରେ ଜବତ ହୋଇଛି ତାହା ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ଠାରୁ ଖୁବ୍ ନିକଟରେ ବୋଲି ଏସିଏସ୍ ସୂଚନା ଦେଇଛି । ଦେବଭୂମି-ଦ୍ୱାରକା ଜିଲ୍ଲାର ସ୍ପେଶାଲ ଅପରେଶନ୍ ଗ୍ରୁପ୍ (ଏସ୍ଓଜି) ଠାରୁ ଏ ନେଇ ଖବର ପାଇବା ପରେ ଏସିଏସ୍ ଓ କୋଷ୍ଟ ଗାର୍ଡ ମିଳିତ ଚଢ଼ାଉ କରିଥିଲେ । ଗତକାଲି ସକାଳେ ଏହି ଚଢ଼ାଉ ବେଳେ ଡଙ୍ଗାରୁ ୮ ଜଣ ପାକିସ୍ତାନୀଙ୍କ ସମେତ ୩୦ କେଜି ନିଷିଦ୍ଧ ହେରୋଇନ୍ ନିଶାଦ୍ରବ୍ୟ ଜବତ କରାଯାଇଛି । ଅନ୍ତର୍ଜାତୀୟ ବଜାରରେ ଜବତ ହେରୋଇନ୍ର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୫୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଏସିଏସ୍ ଆକଳନ କରିଛି ।






