ନୟାଗଡ଼, (ବାଘୁଆବାର୍ତ୍ତା): ଦ୍ରୁତ ଗତି ମହାବିପତ୍ତି ସମସ୍ତ ଗାଡ଼ିରେ ଲେଖା ହୋଇଥିଲେ ମଧ୍ୟ ଚାଳକମାନେ ଏହି ନିୟମକୁ ମାନିବାକୁ ନାରାଜ୍ । ଯାହାର ଫଳ ସ୍ୱରୂପ ବିଭିନ୍ନ ପ୍ରକାରର ଦୁର୍ଘଟଣାର ଶିକାର ହେଉଥିବା ଜଣାପଡିଛି । ପୁରୀ ଜିଲ୍ଲା ତାଳବଣିଆ ଅଞ୍ଚଳରେ ସେହିଭଳି ଭାବେ କାର ଚାଳକ ଦ୍ରୁତ ଗତିରେ ଗାଡ଼ି ଚଲାଇବା ଫଳରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିବା ଦେଖିବାକୁ ମିଳିଛି । କାର ଭିତରେ ବସିଥିବା ୩ଜଣ ଗୁରୁତର ହୋଇ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନାନୁସାରେ, ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ହେଲିପ୍ୟାଡ ଆଡେ କାର ଧରି ଦ୍ରୁତ ଗତିରେ ଆସୁଥିବା ବେଳେ ହେଲିପ୍ୟାଡ୍ ଛକର ରାସ୍ତା ପାଶ୍ୱର୍ରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇଥିଲା । କାର ଚାଳକ ଫେରାର ହୋଇଯାଇଥିବା ବେଳେ କାରରେ ବସିଥିବା ୩ଜଣ ଯାତ୍ରୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ କାର ସମ୍ମୁଖ ଭାଗ ସଂପୁର୍ଣ୍ଣ ନଷ୍ଟ ହୋଇଯାଇଛି । ପୁଲିସ ଖବର ପାଇ ଘଟଣାସ୍ଥଳରେ କାରକୁ ଜବତ କରି ଆଣି ଥାନାରେ ରଖିଥିବା ସୂଚନା ମିଳିଛି ।





