ରଣପୁର,(ବାଘୁଆବାର୍ତ୍ତା): କୋଭିଡ୍ କଟକଣା ମଧ୍ୟରେ ନୟାଗଡ଼ ଜିଲ୍ଲା ରଣପୁରର ଜଗତ ଜନନୀ ମା ମଣିନାଗ ପାଦ ଦେଶରେ ଥିବା ପ୍ରଭୁ ଦୁର୍ଗ ମହାବୀରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ମନ୍ଦିର ପରିସରରେ ଚଳିତ ମାସ ଗତ ୧୧ ତାରିଖ ଠାରୁ ଚାଲି ଥିବା ଏହି ବିଶ୍ୱଶାନ୍ତି ଯଜ୍ଞ ଆଜି ଶେଷ ହୋଇଛି । ଆଜି ପବିତ୍ର ପଣାସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀରେ ପବିତ୍ର ଗୋଧୂଳି ସମୟରେ ପୂର୍ଣ୍ଣାହୁତି କାର୍ୟ୍ୟ ଅନୁଷ୍ଠିତ ହୋଇ ଯାଇଛି । ଆଜି ସକାଳୁ ପ୍ରଭୁ ମହାବୀରଙ୍କର ମାଜଣା କରାଯାଇ ସକାଳ ଧୁପ ଲାଗି କରାଯାଇଛି । ଏହା ପରେ ସୁନ୍ଦରା କାଣ୍ଡ ପାଠ, ହନୁମାନ ଚାଳିଶା ପାଠ କରାଯାଇଛି । ଭକ୍ତ ମାନେ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ଏହି ଯଜ୍ଞରେ ଠାକୁରଙ୍କୁ ଦର୍ଶନ କରିଥିଲେ । ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଉତ୍ସବରେ ଯୋଗ ଦେଇ ଠାକୁରଙ୍କୁ ଆରାଧନା କରିଥିବା ଜଣାଯାଇଛି ।





