ଓଡ଼ଗାଁ, (ବାଘୁଆବାର୍ତ୍ତା): ଗତ କିଛିଦିନ ତଳେ ଓଡ଼ଗାଁ ଲକ୍ଷ୍ମୀ ବଜାର ମଧ୍ୟରୁ ଦୁର୍ବୁତ୍ତମାନେ ଗାଡ଼ି ଡିକି ଭାଙ୍ଗି ୪୦ ହଜାର ଲୁଟ କରିଥିବା ବେଳେ ଆଜି ପୁଣି ସମାନ ଢ଼ଙ୍ଗରେ ଦୁଇ ଜଣ ମହିଳାଙ୍କ ଠାରୁ ଦିନ ଦ୍ୱିପ୍ରହରରେ ୭୦ ହଜାର ଟଙ୍କା ଲୁଟ ହୋଇଅଛି । ଓଡ଼ଗାଁ ଏନଏସି ଅନ୍ତର୍ଗତ ଜାରିଙ୍ଗି ଅଞ୍ଚଳର ଦୁଇଜଣ ମହିଳା ନିଜର ଲୋନ ଟଙ୍କା ଉଠାଣ ପାଇଁ ଅପରାହ୍ନ ୨ ଘଟିକା ସମୟରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଯାଇଥିଲେ । ଉଭୟ ଜଣେ ୫୦ ହଜାର ଅନ୍ୟ ଜଣେ ୨୦ ହଜାର ଉଠାଇଥିଲେ । ଟଙ୍କା ବ୍ୟାଗ ଧରି ନିଜ ଘରକୁ ଫେରୁଥିବା ସମୟରେ ଲକ୍ଷ୍ମୀବଜାର ନିକଟ ଶ୍ରୀରାମ ଗଳି ମଧ୍ୟରେ ଦୁଇ ଜଣ ଦୁର୍ବୁତ୍ତ ଏକ ଟିଭିଏସ ଆପାଚି ବାଇକରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ ଛଡ଼ାଇ ନେଇ ଯାଇଥିଲେ। ଶେଷରେ ନିରୁପାୟ ମହିଳା ଦୁଇଜଣ ଓଡ଼ଗାଁ ଆଦର୍ଶ ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି।





