ନୟାଗଡ଼, (ବାଘୁଆବାର୍ତ୍ତା): କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ(ଆର୍ଡିସି) ଅନିଲ କୁମାର ସାମଲ ଆଜି ନୟାଗଡ଼ ଗସ୍ତ କରି ନୟାଗଡ଼ ସର୍କିଟ୍ ହାଉସରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ସର୍କିଟ ହାଉସଠାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସାମଲଙ୍କ ସହିତ ଜିଲ୍ଲାପାଳ ଡ. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବସ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ର, ପୌର ପାଳିକାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ବ୍ଲକ ଉନ୍ନୟନ ଅଧିକାରୀ ମନୋଜ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ଜିଲ୍ଲାରେ କରୋନା ସ୍ଥିତି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିବା ବେଳେ ସକ୍ରିୟ ମାମଲା ଏବଂ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଡିସିଙ୍କୁ ସୂଚନା ଦିଆଯାଇଥିଲା । ନୟାଗଡ଼ ଜିଲ୍ଲାପାଳ ଡ. ଟୁଡୁ ବର୍ତ୍ତମାନର ସ୍ଥିତି ଏବଂ କରୋନା ମୁକାବିଲା ସମ୍ବଦ୍ଧରେ ଆରଡିସିଙ୍କୁ ସୂଚନା ଦେଇଥିଲେ । ଏଥିସହିତ କୋଭିଡ୍ କଣ୍ଟ୍ରୋଲ ରୁମ ଏବଂ ରୋଗୀଙ୍କ ସମ୍ପର୍କରେ ଆରଡିସି ପଚାରି ବୁଝିଥିବା ଜଣାଯାଇଛି । ଜିଲ୍ଲାରେ କରୋନା ମୁକାବିଲା ନେଇ ଆମ୍ବୁଲାନ୍ସ, କରୋନା ପରୀକ୍ଷା, ଟୀକାକରଣ ସଂମ୍ପର୍କରେ ସମୀକ୍ଷା କରିଥିଲେ । ବିଭିନ୍ନ ବ୍ଲକରୁ ଆସିଥିବା ଅଧିକାରୀମାନେ ସେମାନଙ୍କ ଅଞ୍ଚଳର ସ୍ଥିତି ସଂମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାରେ କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ଆରଡିସି ପରାମର୍ଶ ଦେଇଥିବା ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାଯାଇଛି । ଏଥିସହିତ ହେଲଥ ସେଣ୍ଟନ ଏବଂ ପୁଲିସ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିବା ସୂଚନା ମିଳିଛି । କରୋନା ମୁକାବିଲା ପାଇଁ ବିଭିନ୍ନ ଅଧିକାରୀଙ୍କୁ ବିଭିନ୍ନ ବ୍ଲକ ଦାୟିତ୍ୱ ବଣ୍ଟନ କରାଯାଇଛି ।





